
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ବିଶିଷ୍ଟ କବି, ସାହିତ୍ୟକ, ରାଜନେତା ତଥା ବିଜେପି ପଂଚାୟତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ, ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ତାଙ୍କ ବିୟୋଗରେ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି। ସ୍ୱର୍ଗତଃ ପରିଡାଙ୍କ ତ୍ୟାଗ ଓ ଉତ୍ସଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି କହିଛନ୍ତି।
ସ୍ୱର୍ଗତଃ ପରିଡ଼ାଙ୍କ ପାର୍ଥୀବ ଶରୀର ରାଜ୍ୟ କାର୍ଯ୍ୟାଳୟରେ ପହଂଚିବା ପରେ ଶ୍ରୀ ମହାନ୍ତି ଦଳୀୟ ପତାକା ପ୍ରଦାନ କରି ଓ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସାଂସଦ ସମ୍ବିତ ପାତ୍ର, ଉପସଭାପତି ଡ଼. ଯତିନ୍ ମହାନ୍ତି, ବରିଷ୍ଠ ନେତା ଗୋଲକ ମହାପାତ୍ର, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ପୁରୀ ଜିଲ୍ଲା ସଭାପତି ଡ଼.ଦେବେନ୍ଦ୍ର ତରାଇ, ଦେବେନ୍ଦ୍ର ନନ୍ଦ, ସମବାୟ ରାଜ୍ୟ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ପବିତ୍ର ଦାଶ, ଲକ୍ଷ୍ମୀ ପ୍ରସାଦ ମିଶ୍ର, ପଂଚାନନ ନାୟକଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ୱର୍ଗତଃ ପରିଡ଼ାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା