
ପୁରୀ, ୩୦ ଅକ୍ଟୋବର (ହି.ସ.)- ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଶଙ୍କର୍ଷଣ ପରିଡାଙ୍କ ୬୬ ବର୍ଷ ବୟସରେ ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ବର ସ୍ଥିତ ଏମ୍ସ ହସପିଟାଲରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଶୋକ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ବିଶିଷ୍ଟ ବ୍ଯକ୍ତି ମାନେ ପ୍ରକାଶ କରୁଛନ୍ତି । ସେ ସାମାଜିକ ଗଣମାଧ୍ୟରେ ଅଧିକ ସମୟ ସକ୍ରିୟ ରହୁଥିଲେ । ଚିନ୍ମୟ କବିରୁ ଗାଁ କଲେଜ ଅଧ୍ୟାପକ ବୃତ୍ତି ଆରମ୍ଭ କରି ପରେ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମେ ସମିତି ସଭ୍ଯ ଭାବେ ପୁରୀ ସଦରବ୍ଲକର ଚେୟାରମ୍ୟାନ ହୋଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ଯକରି ଅଧ୍ୟକ୍ଷ ପଦବୀ ଅଳଙ୍କୃତ କରିଥିଲେ । ଓଡ଼ିଶା ରାଜ୍ୟ ପଞ୍ଚାୟତ ପରିଷଦର ସଭାପତି ଭାବେ ଜାତୀୟସ୍ତରରେ ବେଶ ପରିଚିତ ହୋଇପାରିଥିଲେ । ରାଜ୍ଯ କତାଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ଯ କରିଥିଲେ । ସାହିତ୍ୟ, କବିତା ଓ ଓଡିଆ ଭାଷାର ସୁରକ୍ଷା ପାଇଁ ଅବିରତ ଚେଷ୍ଟା ଚଳାଇଥିଲେ । ସାମାଜିକ ଗଣମାଧ୍ୟମ ଜରିଆରେ ଅନେକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ମାୟାମଞ୍ଚ କବିତାରେ ଅନେକ କବିତ୍ବର ଦକ୍ଷତା ପ୍ରତିପାଦନ କରିଥିଲେ । କିଛି ମାସ ଧରି ଫୁସଫୁସ କର୍କଟ ରୋଗରେ ପୀଡିତ ହୋଇ ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସିତ ହୋଇ ଓଡ଼ିଶା ଫେରିଥିଲେ । ପୁଣି ଅସୁସ୍ଥ ହେବାରୁ କ୍ଯାପିଟାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରେ ଉପଯୁକ୍ତ ଚିକିତ୍ସା ନହେବାରୁ ଦୁଇଦିନ ତଳେ ଏମ୍ସ ହସପିଟାଲରେ ଆଡମିସନ ହୋଇଥିଲେ । ପୁରୀ ଜିଲ୍ଲାର ସାହିତ୍ୟ, ସଂସ୍କୃତି ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ପାଇଁ ସେ ଅନେକ କାର୍ଯ୍ଯ କରିଥିଲେ ।
ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଡକ୍ଟର ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୁରୀ ସଦରବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର, ପୁରୀ ବିଧାୟକ ସୁନିଲ ମହାନ୍ତି, ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବିଜେଡିର ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ଓ ବିଭିନ୍ନ ଦଳର ରାଜନେତାମାନେ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ବିଜୟ ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର କର ଶୋକ ବାର୍ତା କରିଛନ୍ତି । ତାଙ୍କ ମରଶରୀର ଏମ୍ସ ହସପିଟାଲରୁ ଭୁବନେଶ୍ବର ବାସଭବନକୁ ନିଆଯାଇଥିଲା। ପରେ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତା କର୍ମୀ ଓ ସମର୍ଥକ ମାନେ ଶେଷ ଦର୍ଶନ କରିଥିଲେ । ଭୁବନେଶ୍ବରରୁ ମରଶରୀର ତାଙ୍କ ନିଜସ୍ବ ଜନ୍ମ ମାଟି ପୈତୃକ ଗାଁ ବାଲିପୁଟ ଓ ସେଠାରୁ ପୁରୀ ସହର ସର୍ବୋଦୟ ନଗରରେ ଥିବା ନିଜସ୍ବ ବାସଭବନ ଇନ୍ଦ୍ରପ୍ରସ୍ଥରୁ ସ୍ବର୍ଗଦାର ଶୋଭାଯାତ୍ରାରେ ନିଆଯାଇଥିଲା । ସେଠାରେ ଆତ୍ମୀୟସ୍ବଜନ, ବନ୍ଧୁ ବାନ୍ଧବ, ରାଜନେତା, ସମର୍ଥକ, ସହଯୋଗୀ ଅରୁଣ କୁମାର ପ୍ରମୁଖ ବ୍ଯକ୍ତିମାନେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ବଡ ଝିଅ ଶକ୍ତି ସର୍ପଣ୍ଣା ମୁଖାଗ୍ନି ଦେଇଥିଲେ । ତାଙ୍କ ସାନ ଝିଅ ଶକ୍ତି ସ୍ବରପା ଓ ଧର୍ମପତ୍ନୀ ଶୁଭ୍ରା ପରିଡା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ