

ମାଲକାନଗିରି, ୩୦ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ପାଲଟିଛି ଗଞ୍ଜେଇ ଚାଷ ପାଇଁ ସୁରକ୍ଷିତ ଅଞ୍ଚଳ । ବେଫିକର ଭାବେ ଏଠି ଗଞ୍ଜେଇ ଚାଷ କରୁଛନ୍ତି ବାହାର ରାଜ୍ୟର ମାଫିଆ। ଧରାପଡ଼ୁଛନ୍ତି ଆଦିବାସୀ କିନ୍ତୁ ମାଫିଆ ହେଉଛନ୍ତି ମାଲେମାଲ୍। କେମିତି ମାଲକାନଗିରିରେ ଚେର ଜମାଇ ଚାଷ ହେଉଛି ଗଞ୍ଜେଇ। ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ ନା କାହାକୁ ଡର, ନା କାହାକୁ ଭୟ, ଶହ ଶହ ହେକ୍ଟର ଜମିରେ ହେଉଛି ଚାଷ । ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସୁରକ୍ଷିତ ସ୍ଥାନ । ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ହେଉଛି ମାଲକାନଗିରି। ଏବେ ଗତ କିଛି ବର୍ଷ ଧରି ମାତିଛନ୍ତି ବାହାର ରାଜ୍ୟର ମାଫିଆ। ଓଡ଼ିଶା ବାହାରେ ବସି ଏଠି ଚଲାଇଛନ୍ତି ଗଞ୍ଜେଇ ରାଜ୍। ଜିଲ୍ଲାରେ ବସବାସ କରୁଥିବା ଲୋକଙ୍କୁ ହାତ କରି ସେମାନଙ୍କୁ କାମରେ ଲଗାଇ ଏହି ବେଆଇନ କାରବାର ଚାଲୁଛି। ଏପରିକି ଉନ୍ନତମାନର ବିହନ ଆଣି ଏହାକୁ ଚାଷ କରାଯାଉଥିବା ବି ଅଭିଯୋଗ ରହିଛି। କୁହାଯାଉଛି ଓଡ଼ିଶାର ଗଞ୍ଜେଇ ବାହାର ରାଜ୍ୟରେ ବେଶ୍ ଚାହିଦା। ଏମିତିକି ମେଟ୍ରୋ ସିଟିରେ ଚଢ଼ା ଦରରେ ଏସବୁ ବିକ୍ରି ହୁଏ। ଓଡ଼ିଶାରେ ବେଆଇନ ଗଞ୍ଜେଇ ବେପାର କରି ବାହାର ରାଜ୍ୟର ମାଫିଆ ମାଲେମାଲ୍। ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଥାନା ଗୁଡିକରେ ଶହ ଶହ ହେକ୍ଟରରେ ଏବେ ଚାଷ ହେଉଛି ଗଞ୍ଜେଇ। ପୂର୍ବରୁ ଗଞ୍ଜେଇ ଚାଷ ପଛରେ ମାଓବାଦୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଥିଲା। ହେଲେ ଏବେ ମାଓ ଗତିବିଧି କମିଛି କିନ୍ତୁ ଗଞ୍ଜେଇ ଚାଷ କମିବ କ'ଣ ବଢ଼ିବାରେ ଲାଗିଛି।
ଏକ ବେସରକାରୀ ତଥ୍ୟ ଅନୁସାରେ, ଗତ ୩ ବର୍ଷ ମଧ୍ୟରେ ଜିଲ୍ଲାରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ପ୍ରାୟ ୭୫ ଟନ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୩୬୦ କୋଟି ହେବ। ତଥାପି କାହିଁକି ବ୍ରେକ୍ ଲାଗୁନି ଏ ବେଆଇନ କାମରେ ? ଅଭିଯୋଗ ହେଉଛି କି, ବାହାର ରାଜ୍ୟରୁ ମାଫିଆ, ନିରୀହ ଆଦିବାସୀଙ୍କୁ ଏ କାମରେ ନିୟୋଜିତ କରୁଛନ୍ତି । ଗିରଫ ହେଲା ବେଳେ ସ୍ଥାନୀୟ ଲୋକେ ବଳି ପଡ଼ୁଛନ୍ତି କିନ୍ତୁ ମାଫିଆଙ୍କୁ ଧରି ହେଉନି। ଜଙ୍ଗଲରେ ଚାଷ ହେଉଥିବାରୁ ରେଡ୍ ବେଳେ ଫେରାର ମାରୁଛନ୍ତି ମାଷ୍ଟର୍ ମାଇଣ୍ଡ। ଏପରି ସ୍ଥିତିରେ ମାଲକାନଗିରିକୁ ଗଞ୍ଜେଇ ମୁକ୍ତ କରିବାକୁ ହେଉଥିବା ଅପରେସନ୍ କେବେ ସଫଳ ହେଉଛି ତାହା ଦେଖିବାକୁବାକି ରହିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ