
ପୁରୀ, ୩୦ ଅକ୍ଟୋବର (ହି.ସ.)- ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ପୁରୀ ପୋଲିସ ଦ୍ୱାରା ଏକ ମାରାଥନ ଦୌଡ଼ ଆୟୋଜିତ ହୋଇଯାଇଛି। ଏହି ମାରାଥନ ଗୁରୁବାର ସକାଳ ୭ଟାରେ ଦିଗବରେଣୀ ଛକରୁ ଆରମ୍ଭ ହୋଇ ସମୁଦ୍ରତଟ ସଡ଼କରେ ଆୟୋଜିତ କରାଯାଇଥିଲା । ଏହି ମାରାଥନର ଉଦଘାଟନ ଏସପି ପୁରୀ ପ୍ରତୀକ ସିଂହ କରିଥିଲେ। ଶ୍ରୀ ସିଂହ ନିଜ ଉଦବୋଧନରେ କହିଥିଲେ ଯେ, ସର୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଥିଲେ ଏବଂ ତାଙ୍କ ଜୀବନ ଓ ତ୍ୟାଗ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଏହି ମାରାଥନ ମାଧ୍ୟମରେ ଯୁବପିଢ଼ି ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକତା, ଶିଷ୍ଟାଚାର ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବାଢ଼ିବା ହିଁ ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ଅଂଶଗ୍ରହୀ ମାରାଥନରେ ସହଭାଗୀ ହୋଇ ଉତ୍ସାହ ପ୍ରକାଶ କରିଥିଲେ। ପୋଲିସ ବିଭାଗର ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଏଥିରେ ଯୋଗ ଦେଇଥିଲେ।
ଏହି ଅବସରରେ ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ଦେବ ପ୍ରତାପ ସଚିନ ପାଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ଡିଏସପି (ସିଟି) ପ୍ରଶାନ୍ତ ସାହୁ, ଟ୍ରାଫିକ ଡିଏସପି ରାଜକୁମାର ପରିଡ଼ା, ଆଇ.ଆଇ.ସି ସିଂହଦ୍ୱାର ସ୍ୱେତପଦ୍ମା ଦାଶ, ଆଇ.ଆଇ.ସି ଟାଉନ ଗୋକୁଲ ରଞ୍ଜନ ଦାସ, ଆଇ.ଆଇ.ସି ବାସେଲିସାହି ବିକ୍ରମ ଜେନା, ଆଇ.ଆଇ.ସି ଟ୍ରାଫିକ ଜୟଦୀପ ମହାନ୍ତି, ଆଇ.ଆଇ.ସି ବାଲିଆପଣ୍ଡା ସଙ୍ଗୀତା ଦାଶ, ଆଇ.ଆଇ.ସି ତଳବାଣିଆ ଗୀତାଞ୍ଜଳି ନାୟକ ଓ ଆର.ଆଇ ଚିତ୍ତରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। ମାରାଥନ ଶେଷରେ ତିନିଜଣ ବିଜେତାଙ୍କୁ ସମ୍ମାନିତ କରାଯାଇଛି, ଯେଉଁଥିରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନାଧିକାରୀଙ୍କୁ ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଗଲା।
ଏହି ଅବସରରେ ସମସ୍ତ ଅଧିକାରୀ ଓ ସହଭାଗୀମାନେ ଏକତା ଓ ଜାତୀୟ ସଂଘଟନର ପ୍ରତି ସଂକଳ୍ପ ଗ୍ରହଣ କରିଥିଲେ। ପୁରୀ ପୋଲିସ ଦ୍ୱାରା ଏହି ଅଭିଯାନ ମାଧ୍ୟମରେ ଏକତା, ସୁସ୍ଥ ଜୀବନ ଓ ସକାରାତ୍ମକ ସନ୍ଦେଶ ପ୍ରଚାର ପାଇଁ ଏକ ସଫଳ ପଦକ୍ଷେପ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ