
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଞ୍ଜିତ ପାତ୍ର ଅଭିଯୋଗ କରିଛନ୍ତି ଯେ ସାମସ୍ ପ୍ରକ୍ରିୟା ଓଡ଼ିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି। ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ପ୍ରତି ଏଥିରେ ଅଣଦେଖା କରାଯାଉଛି। ସାମସ୍ ମାଧ୍ୟମରେ ଯେଉଁ ନାମଲେଖା ହେଉଛି ସେଥିରେ ଦୁର୍ନୀତି ହେବା ସହ ବ୍ୟାପକ ଅବ୍ୟବସ୍ଥା ରହିଛି। ନାମଲେଖା ଏବଂ ପରୀକ୍ଷାର କୌଣସି ନିର୍ଦ୍ଦିଷ୍ଟ ସମୟ ରହୁନାହିଁ। ସୁତରାଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଠନ ସହିତ ସରକାର ଖେଳ ଖେଳୁଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ କହିଲେ ଯେ ପୂର୍ବ ବିଜେଡ଼ି ଏବଂ ଆଜିର ବିଜେପି ସରକାର ସାମସ୍ ଜରିଆରେ ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧୂଳିସାତ କରିିସାରିଲେଣି। ଏହି ପ୍ରକ୍ରିୟାରେ ଅବ୍ୟବସ୍ଥା ଭରି ରହିଛି। ଏହାର ସୁଧାର ନିହାତି ଆବଶ୍ୟକ। ରାଜ୍ୟର ଗରିବ ଛାତ୍ରମାନେ ଯେଉଁମାନେ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାପାଇଁ ସକ୍ଷମ ନୁହଁନ୍ତି ସେମାନେ ପ୍ରଭାବିତ ହେଉଛନ୍ତି।
ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ଏକ ଭେଳିକିରେ ପରିଣତ କରିଦେବା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଘରୋଇ ଶିକ୍ଷା ଆଡକୁ ମୁହାଁଉଛନ୍ତି। ସରକାରୀ ଉଦାସୀନତାର ଶିକାର ହୋଇଥିବା ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ କେବଳ ଗରିବ ଛାତ୍ରଛାତ୍ରୀମାନେ ନାମ ଲେଖାଉଛନ୍ତି ଏବଂ ସେମାନଙ୍କର ଭବିଷ୍ୟତ ପ୍ରତି
ସରକାରଙ୍କର ନିଘା ନାହିଁ। ସାସମ୍ ବ୍ୟବସ୍ଥାର ତୁରନ୍ତ ସୁଧାର ଅଣାଯାଉ। ଏହାକୁ ଦୁର୍ନୀତିମୁକ୍ତ କରାଯାଉ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନାମଲେଖା ପ୍ରକ୍ରିୟାକୁ ଶେଷ କରାଯାଉ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୌମ୍ୟ ବରାଳ, ବିଶ୍ୱଭୂଷଣ ମହାପାତ୍ର, ବିଜୟ ସାହୁ ଓ ଅମିତ କୁମାର ପଣ୍ଡା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା