ସାକ୍ଷିଗୋପାଳ, ୭ ଅକ୍ଟୋବର (ହି.ସ.)- ପବିତ୍ର କାର୍ତିକ ବ୍ରତ ଆରମ୍ଭର ପ୍ରଥମ ଦିନରେ ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ସ୍ଥିତ ସାକ୍ଷୀଗୋପୀନାଥଙ୍କ ପୀଠରେ ଆଜି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଆଜି ଠାରୁ ଆରମ୍ଭ ହୋଇଛି ହବିଷ୍ୟାଳୀଙ୍କ ପବିତ୍ର କାର୍ତିକ ବ୍ରତ । ହବିଷ୍ୟାଳୀମାନେ ମନରେ ସଂକଳ୍ପ କରି ଏହି ବ୍ରତ ଆରମ୍ଭ କରିଛନ୍ତି । ସେମାନେ ଏକ ମାସ ଧରି ଏହି ବ୍ରତ ପାଳନ କରିବେ । ମଙ୍ଗଳବାର ବ୍ରତର ପ୍ରଥମ ଦିନରେ ଭୋରରୁ ହବିଷ୍ୟାଳି ମାନେ ସ୍ନାନ ଓ ଅନ୍ୟାନ୍ୟ ନିତ୍ୟକର୍ମାଦି ସାରି ଘରେ ଠାକୁର ପୂଜା ଓ ତୁଳସୀ ଚଉରା ମୂଳେ ମା’ ବୃନ୍ଦାବତୀଙ୍କ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଆସି ସାକ୍ଷିଗୋପୀନାଥଙ୍କ ଦର୍ଶନ କରିଛନ୍ତି । ଏହି ଉପଲକ୍ଷେ ଭୋର୍ ରୁ ମନ୍ଦିର ଦ୍ୱାରଫିଟା, ମଙ୍ଗଳଆଳତୀ, ମଇଲମ, ଅବକାଶ, ସକାଳ ଧୂପ ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ଭକ୍ତଙ୍କୁ ନଟବର ବେଶରେ ଦର୍ଶନ ଦେଇଛନ୍ତି ସାକ୍ଷୀଗୋପୀନାଥ । ଏହାପରେ ସଂନ୍ଧ୍ୟାଧୂପରେ ସାକ୍ଷିଗୋପାଳଙ୍କ ଗୋଧନବାହୁଡ଼ା ବେଶ ଓ ରାତିରେ ବଡସିଂହାର ବେଶ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ