ବଲାଙ୍ଗିର, ୭ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ରତାଖଣ୍ଡି (ଭାନପୁର )ଗ୍ରାମର ୪ ଏସଏଚଜି ଗ୍ରୁପର ଶତାଧିକ ମହିଳାମାନେ ଗ୍ରାମରେ ଚୋରା ମଦ କାରବାର କରୁଥିବା ଲୋକଙ୍କୁ ଗିରଫ କରିବା ସହ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ ଭାବରେ ବନ୍ଦ କରିବାକୁ ଦାବି କରିଛନ୍ତି। ଏପରିକି ସୋମବାର ଅପରାହ୍ନରେ ଅବକାରୀ ଅଧୀକ୍ଷକଙ୍କ ଅଫିସକୁ ଆସି ଘେରାଓ କରିଛନ୍ତି । ଗ୍ରାମରେ ମଦ ବିକ୍ରି ବନ୍ଦ ନ କଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମରେ କିଛି ଲୋକ ଚୋରା ମଦ କାରବାର ରୀତିମତ ଭାବେ କରୁଥିବା ବେଳେ ଗାଁରେ ଯୁବପିଢ଼ି ଏହାକୁ ପିଇ ବିଶୃଙ୍ଖଳିତ ହେଉଛନ୍ତି । ଗ୍ରାମରେ ମହିଳାମାନେ ରାସ୍ତାରେ ସୁରକ୍ଷିତ ଭାବରେ ଯିବା ଆସିବା କରିପାରୁ ନ ଥିବା କହିଛନ୍ତି । ଏପରିକି ଗ୍ରାମରେ ମଦ ବିକ୍ରି ଯୋଗୁ ପୁରୁଷମାନେ ମଦ ପିଇ ଘରେ ଝଗଡା କରୁଥିବା ଯୋଗୁ ଘରେ ସବୁବେଳେ ମହିଳାମାନେ ଆଶାନ୍ତିରେ ରହୁଥିବା କହିଛନ୍ତି। ଏପରିକି ତାଙ୍କର ପିଲାମାନଙ୍କର ପାଠ ପଢ଼ାରେ ମଧ୍ୟ ପ୍ରଭାବ ପଡୁଥିବା କହିଛନ୍ତି। ଏହାର ସମାଧାନ ପାଇଁ ଗାଁରେ ବୈଠକ କରାଯାଇ ଚୋରାମଦ କାରବାର ନ କରିବାକୁ ମଦ ବେପାରୀଙ୍କୁ ଗ୍ରାମର ମହିଳାମାନେ ବାରମ୍ବାର ମନା କରିବା ସତ୍ତ୍ୱେ ମଦ ବେପାରୀମାନେ ମାନୁ ନାହାନ୍ତି। ଓଲଟା ସେମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ମଦ ବନ୍ଦ ନକରି ପୂର୍ବଭଳି ମଦ ବ୍ୟବସାୟ ଗ୍ରାମରେ ଜାରି ରଖିଥିବାରୁ ଗ୍ରାମର ୪ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକତ୍ରିତ ହୋଇ ଚୋରାମଦ କାରବାର ବନ୍ଦ କରିବା ଓ ବ୍ୟବସାୟୀଙ୍କୁ ଗିରଫ ଦାବି ନେଇ ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମରେ ଚୋରା ମଦ କାରବାର କରୁଥିବା ଅଭିଯୋଗକୁ ନେଇ ବ୍ୟବସାୟୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯିବ । ସେମାନଙ୍କୁ ସାତ ଦିନ ଭିତରେ ଧରାଯିବ ବୋଲି ରତାଖଣ୍ଡି (ଭାନପୁର) ଗ୍ରାମବାସୀ ମହିଳାମାନଙ୍କୁ ଅବକାରୀ ଉପ ଆୟୁକ୍ତ (ଭାରପ୍ରାପ୍ତ ଅଧୀକ୍ଷକ ) ସୀତାକାନ୍ତ ମୁଦୁଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ