ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ବିଜୁ ଜନତା ଦଳ ବର୍ତମାନ ଦଳୀୟସଙ୍କଟ ଦେଇ ଗତି କରୁଛି । ଏହି ସଙ୍କଟ ଏତେ ମାତ୍ରାରେ ବଢ଼ିଯାଇଛି କି କିଏ କ’ଣ ନିଷ୍ପତି ନେବ ତାହାକୁ କେହି ଜାଣିପାରୁନାହାନ୍ତି । ସେମାନେ ନିଜର ଦାବି କ’ଣ ସେବିଷୟରେ କିଛି ନ ଜାଣି କେବଳ ଦଳର ଅସ୍ଥିତ୍ୱ ବଂଚାଇବା ପାଇଁ ପଦଯାତ୍ରା କରୁଛନ୍ତି ବୋଲି ଦଳ ତରଫରୁ କୁହାଯାଇଛି ।
ପ୍ରତିଥର ଦଳୀୟ ପଦଯାତ୍ରାରେ ପତାକା ଦେଖାଇ ଶୁଭାରମ୍ଭ କରିଥାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ହେଲେ ଆଜି ସେ କୁଆଡେ ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତାଙ୍କ ଦଳର କର୍ମୀମାନେ ଏବେ ନବୀନଙ୍କୁ ଖୋଜୁଛନ୍ତି । ବିନା ନେତାରେ ଏହି ପଦଯାତ୍ରା ଚାଲିଛି । ବିଜେଡି ପକ୍ଷରୁ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋଠରେ ‘ସେବା, ସ୍ୱାଭିମାନ ଓ ସଂଗ୍ରାମ ପଦଯାତ୍ରା’ କରାଯାଉଛି । ମାତ୍ର ଗତ ୨୪ ବର୍ଷ ଧରି ବିଜେଡି ଓଡ଼ିଶା ପାଇଁ କି ସେବା କରିଛି ତାହାକୁ ଲୋକ ଦେଖିଛନ୍ତି । ବିଜେଡି ଶାସନରେ ବେକାରୀ, ଅପରାଧ, ଶିଶୁ ଓ ମାତୃ ମୃତ୍ୟୁ ହାରରେ ଓଡ଼ିଶା ଦେଶରେ ଏକ ନମ୍ବର ଥିଲା । ବିଜେଡି ଶାସନରେ ରାଜ୍ୟରେ ମହିଳା ହିଂସା ଓ ନିର୍ଯ୍ୟାତନା କଥା ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟରେ ଖୁଲାସା ହୋଇଛି । କୃଷକମାନଙ୍କ ସର୍ବନିମ୍ନ ଆୟ କ’ଣ ତାହାକୁ ମଧ୍ୟ ଲୋକେ ଦେଖିଛନ୍ତି । ଗତ ୨୫ ବର୍ଷ ମଧ୍ୟରେ ବିଜେଡି ସୁପ୍ରିମୋ ଓଡ଼ିଆ ଭାଷା ମଧ୍ୟ ଶିଖିପାରି ନ ଥିବା ବେଳେ ଓଡ଼ିଆ ସ୍ୱାଭିମାନ କଥା କହିବା ଅତ୍ୟନ୍ତ ହାସ୍ୟସ୍ପଦ । ବିଜେଡି କେବେ ବି ଓଡ଼ିଶାର ବରପୁତ୍ର ମାନଙ୍କୁ ସମ୍ମାନ ଦେଇ ନଥିଲା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ନାମରେ ହୋଇଥିବା ‘ଗୋପବନ୍ଧୁ ଗ୍ରାମୀଣ ରୋଜଗାର ଯୋଜନା’କୁ ବନ୍ଦ କରିଦେଇଥିଲା । ବିଜୁ ଜନତା ଦଳ ଯାହା ନାମରେ ଗଠନ ହୋଇଛି କେବଳ ସେ ହିଁ ମହାପୁରୁଷ ବୋଲି ବିଜେଡି ବିଶ୍ୱାସ କରେ । ସେଥିପାଇଁ ସବୁ ଯୋଜନା ଓ ପ୍ରତିମୂର୍ତି କେବଳ ବିଜୁଙ୍କ ନାମରେ କରି ମହାପୁରୁଷମାନଙ୍କୁ ଅସମ୍ମାନିତ କରିଛି ବିଜେଡି । ଏଥିଯୋଗୁ ବିଜେଡିକୁ ଜନସାଧାରଣ ଉଚିତ ଜବାବ୍ ଦେଇଛନ୍ତି । ବିଜୁ ଜନତା ଦଳ ସରକାରରେ ଥିଲାବେଳେ ଓଡ଼ିଶାର ମା’ଓ ଭଉଣୀମାନଙ୍କ ପାଇଁ କିଛି କରି ନଥିଲା, ଚାଷୀଙ୍କୁ ୧୦୦ ଟଙ୍କା ବୋନସ୍ ଦେବାକୁ କହି ଠକି ଦେଇଥିଲା । ପଛୁଆବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଇ ପାରି ନଥିଲା ।
ମାତ୍ର ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ୮୦୦ ଟଙ୍କା ଲେଖାଏଁ ଇନ୍?ପୁଟ୍ ସହାୟତା ଦେଇଛନ୍ତି । ଚଳିତ ଥର ଚାଷୀଙ୍କ ଠାରୁ ରେକର୍ଡ ପରିମାଣରେ ଧାନ କିଣାଯାଇଛି । ଏଥିସହ ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତା ବୃଦ୍ଧିଠାରୁ ଆରମ୍ଭ କରି ବିଜେପି ସରକାରର ସଫଳତାକୁ ପଦଯାତ୍ରାରେ ବିଜେଡି ଲୋକଙ୍କୁ ବାର୍ତା ଦେବା ଉଚିତ୍ ବୋଲି ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା