ଚମ୍ପୁଆ, ୦୯ ଅକ୍ଟୋବର(ହି.ସ.) – ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଳା ଗ୍ରାମରେ ଚୋରା ମଦ ବିକ୍ରି କରୁଥିବାବେଳେ ଗ୍ରାମବାସୀ ଚୋରା ମଦ ବିକ୍ରିରେ ବ୍ୟବହୃତ ଗାଡ଼ି ଓ ମଦ ଜବତ କରିବା ସହ ଦୁଇ ମଦ ବେପାରୀଙ୍କୁ ଚମ୍ପୁଆ ପୁଲିସର ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତକାଲି ତଡ଼ୁଆବାହାଳ ଗ୍ରାମର ଦୁଇଜଣ ସ୍ୱାମୀ ସ୍ତ୍ରୀ ଚୋରା ମଦ ବେପାରୀ ଚିମିଳା ଗ୍ରାମର ଜଣେ ମଦ ବେପାରୀଙ୍କୁ ମଦ ଯୋଗାଇବାକୁ ଏକ କାର୍(ଗାଡି ନଂ. ଓଡି୦୯ଏଇ୦୯୦୭)ରେ ଚିମିଳା ଗ୍ରାମକୁ ଆସିଥିବାବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖି ଚମ୍ପୁଆ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଚମ୍ପୁଆ ପୁଲିସ ଚିମିଳା ଗ୍ରାମରେ ପହଂଚି ଘଟଣାସ୍ଥଳରୁ ଏକ କାର୍ ଓ ୬୦ ଲିଟର ଚୋରା ମହୁଲି ମଦ ଜବତ କରିବା ସହ ଚୋରା ମଦ ବେପାରୀ ତଡ଼ୁଆବାହାଳ ଗ୍ରାମର ସୁଶାନ୍ତ ମାଝୀ ଓ ପାୟା ମାଝୀ ସହ ଚିମିଳା ଗ୍ରାମର ଚାନ୍ଦମଣି ଓରାମକୁ ଗିରଫ କରିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଦୁଇଜଣ ଚୋରା ମଦ ବେପାରୀ ଚାନ୍ଦମଣି ଓରାମଙ୍କୁ ଚୋରା ମହୁଲି ମଦ ଯୋଗାଇ ଆସୁଥିଲେ। ଯାହାଫଳରେ ଚିମିଳା ଗ୍ରାମରେ ଚୋରା ମଦ ବିକ୍ରି ବୃଦ୍ଧି ପାଇବା ସହ ଗ୍ରାମର ବାତାବରଣ କଳୁଷିତ ହେଉଥିଲା। ଆଜି ବହୁ ସଂଖ୍ୟାରେ ଚିମିଳା ଗ୍ରାମବାସୀ ଚମ୍ପୁଆ ଥାନାକୁ ଆସି ଚୋରାମଦ ବିକ୍ରୟକାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ ଗ୍ରାମରେ ମଦ ବିକ୍ରୀ ବନ୍ଦ କରିବାକୁ ଚମ୍ପୁଆ ଥାନାଧିକାରୀଙ୍କ ନିକଟରେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta