ଭଦ୍ରକ, ୯ ଅକ୍ଟୋବର (ହି.ସ.) - ଗତକାଲି ବୁଧବାର ଭଦ୍ରକର ଐତିହାସିକ କାଳୀପୂଜା ଉପଲକ୍ଷେ ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କାଳୀପୂଜା ଉତ୍ସବକୁ ୭ଦିନ ଧରି ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ପ୍ରଶାସନର ଏହି ନିଷ୍ପତିକୁ ନେଇ ବିଭିନ୍ନ କାଳୀପୂଜା କମିଟିର କର୍ମକର୍ତାମାନେ ଆପତି ଉଠାଇଥିଲେ। ଗତବର୍ଷ ଓ ତା ପୂର୍ବବର୍ଷ ଭଳି ୯ଦିନ ପାଳନ କରାଯିବାକୁ ନିବେଦନ କରିଥିଲେ। ତେବେ ବିଗତବର୍ଷ ମାନଙ୍କରେ ଏହି କାଳୀପୂଜା ୭ ଦିନ ଧରି ପାଳିତ ହୋଇଆସୁଥିଲା। ଠିକ୍ ସେହି ପରମ୍ପରା ଅନୁଯାୟୀ ଚଳିତବର୍ଷ ୭ ଦିନ ଧରି ପାଳିତ ହେବ ବୋଲି ପୁଲିସ୍ ମୁଖ୍ୟ ଏସ୍ପି ମନୋଜ ରାଉତ ସୂଚନା ଦେଇଥିଲେ। ଫଳରେ ପୂଜା କମିଟିର କର୍ମକର୍ତାମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲେ ମଧ୍ୟ ବୈଠକରେ ଆଉ ମୁହଁ ଫିଟାଇନଥିଲେ। ଆଜି ଚରମ୍ପା ଅଂଚଳର ୬ଟି ପୂଜା କମିଟିର କର୍ମକର୍ତାମାନେ କାଳୀପୂଜା ମେଳାକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସ୍ୱୀକୃତି ଦେବାକୁ ଜିଲାପାଳଙ୍କୁ ଭେଟି ଏକ ଲିଖିତ ପତ୍ର ଜରିଆରେ ନିବେଦନ କରିଛନ୍ତି। ପୂଜା କମିଟିର କର୍ମକର୍ତାଙ୍କ କହିବା କଥା ହେଲା ଲକ୍ଷାଧିକ ଟଙ୍କା ବ୍ୟୟରେ କରାଯାଇଥିବା ପୂଜା ମଣ୍ଡପ ଗୁଡିକ ସ୍ୱଳ୍ପଦିନରେ ତାର ମାହୌଲ ହରାଇବ। ଅନ୍ୟପକ୍ଷରେ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀମାନେ ବ୍ୟବସାୟରେ କ୍ଷତିଗ୍ରସ୍ତ ହେବେ ବୋଲି ମତ ଦେଇଥିଲେ। ତେବେ ଜିଲାପାଳ ସେମାନଙ୍କର ନିବେଦନକୁ ବିଚାର ବିମର୍ଶ କରି ଉଚିତ୍ ନିଷ୍ପତି ନେବେ ବୋଲି ପୂଜା କମିଟି କର୍ମକର୍ତାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସ୍କୁଲରୋଡ୍ ପୂଜା କମିଟିର ସଭାପତି କଲ୍ଲୋଲ କୁମାର ଲେଙ୍କା, ମଦନ ମୋହନ ମହାନ୍ତି, ଏରେଇଁ କାଳୀପୂଜା କମିଟିର ସଂପାଦକ ରାଜକିଶୋର ଶତପଥୀ, ସନ୍ତୋଷ କୁମାର ଧଳ, ବାସନ୍ତୀ ପୂଜା କମିଟିର ସଭାପତି ଶ୍ୟାମସୁନ୍ଦର ଗୁପ୍ତା, ନାରାୟଣ ବିଶ୍ୱାଳ, ନଳିନୀକାନ୍ତ ମହାନ୍ତି, ଡଗରାସାହି କାଳୀପୂଜା କମିଟିର ସଂପାଦକ ସୁବ୍ରତ ଦାସ ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ