ଭଦ୍ରକ, ୯ ଅକ୍ଟୋବର (ହି.ସ.) - ଏହି ଜିଲାର ବାଂଶଡା ଥାନା ଅଧିନରେ ଥିବା ଚରଦିଆ ପଂଚାୟତର ଏକ ନାବାଳିକାକୁ ଅପହରଣ କରି ନେଇଥିବା ନେଇ ପରିବାର ଲୋକେ ଗତ ଅଗଷ୍ଟ ୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ୨ମାସ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ପରିବାର ନିଜର ନାବାଳିକା ଝିଅକୁ ନପାଇବାରୁ ବାଧ୍ୟ ହୋଇ ସପରିବାର ଆତ୍ମାହୂତି ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଚରଦିଆ ପଂଚାୟତ ରାଜରାଜେଶ୍ୱରୀ ପଲ୍ଲୀର ବିଶ୍ୱନାଥ ଏବଂ ପାର୍ବତୀ ଦାସଙ୍କ ଝିଅ ଗତ ୫ଅଗଷ୍ଟରେ ଚରଦିଆ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ଆଉ ଘରକୁ ଫେରି ନଥିଲା। ସେହି ଗ୍ରାମର ୩ଜଣ ଯୁବକ ସଂପୃକ୍ତ ନାବାଳିକାକୁ ଏକ ମୋଟର ସାଇକେଲରେ ନେଇ ଯାଉଥିବା ପ୍ରତକ୍ଷ୍ୟଦର୍ଶୀ ଦେଖି ସଂପୃକ୍ତ ଯୁବତୀଙ୍କ ଘରକୁ ଖବର ଦେଇଥିଲେ। ଏ ନେଇ ସଂପୃକ୍ତ ଯୁବତୀଙ୍କ ମା ବାଂଶଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଇତି ମଧ୍ୟରେ ଦୀର୍ଘ ୬୫ ଦିନ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ନାବାଳିକାର କିଛି ପତା ମଧ୍ୟ ମିଳୁ ନାହିଁ ବୋଲି ସଂପୃକ୍ତ ନାବାଳିକାର ପରିବାର ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଆଧାରରେ ସଂପୃକ୍ତ ପରିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସହ ଭଦ୍ରକ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ମଧ୍ୟ କରିଛନ୍ତି । ଆସନ୍ତା ୧ ସପ୍ତାହ ମଧ୍ୟରେ ସଂପୃକ୍ତ ନାବାଳିକାକୁ ପୁଲିସ ପ୍ରଶାସନ ସଂପୃକ୍ତ ନାବାଳିକା ପରିବାରକୁ ହସ୍ତାନ୍ତରିତ ନ କଲେ ନାବାଳିକାର ପରିବାର ବାଂଶଡା ଥାନା ଆଗରେ ଆତ୍ମାହୂତି ଦେବେ ବୋଲି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ବାଂଶଡା ଥାନାଧିକାରୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଆଜି ପର୍ଯ୍ୟନ୍ତ ସଂପୃକ୍ତ ନାବାଳିକାର ପତା କିଛି ମିଳି ପାରି ନାହିଁ। ଖୁବ ଶୀଘ୍ର ଏହି ଘଟଣାରେ ସଂପୃକ୍ତ ଦୋଷ୍ୀ ମାନଙ୍କୁ ଗିରଫ କରାଯିବା ସହ ନାବାଳିକାକୁ ତାର ପରିବାରକୁ ହସ୍ତାନ୍ତରିତ ମଧ୍ୟ କରାଯିବ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ