ଗଞ୍ଜାମ, ୯ ଅକ୍ଟୋବର (ହି.ସ.)- କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ୍ -2013 ଉପରେ
ଦିନିକିଆ ତାଲିମ୍ ଶିବିର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳା ସୁସ୍ଥ ରହିଲେ ପରିବାର ସଶକ୍ତହୋଇ ପାରିବ । ଆଜିକାଲି ମହିଳା ମାନେ କାର୍ଯ୍ୟକ୍ଷେତ୍ରରେ କିପରି ସୁରକ୍ଷିତ ରହି କାର୍ଯ୍ୟ ସମ୍ପାଦନ କରିପାରିବେ ସେଥିପାଇଁ ସରକାର ଅନେକ ଗୁଡିଏ ନିୟମ ପ୍ରଣୟନ କରିଛନ୍ତି । ସରକାରୀ, ବେସରକାରୀ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥା ଗୁଡିକରେ ଅନେକ ମହିଳା କାର୍ଯ୍ୟ କରୁଛନ୍ତି । ସେମାନେ କାର୍ଯ୍ୟକ୍ଷେତ୍ରରେ ଯଦି କୌଣସି ପ୍ରକାର ନିର୍ଯାତିତ ନ ହୁଅନ୍ତି ତେବେ ସେମାନଙ୍କର କାର୍ଯ୍ୟାଳୟ ତଥା ନିଜ ଘରେ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧି ପାଇବ ବୋଲି ଶ୍ରୀ ପୃଷ୍ଟି ମତ ବ୍ୟକ୍ତ କରିବା ସହ ଯୌନ ନିର୍ଯାତନା ଦେଉଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି କହିଥିଲେ ।
ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ଏହି ତାଲିମ୍ ଶିବିରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଶିକ୍ଷାଧିକାରୀ ଡ ପ୍ରଭାତି କୁମାରୀ ମହାପାତ୍ର ମହିଳା ମାନେ କାର୍ଯ୍ୟକ୍ଷେତ୍ରରେ ଶିକାର ହେଉଥିବା ଯୌନ ଉତ୍ପୀଡନ ଓ ସେଥି ନିମନ୍ତେ ଭାରତୀୟ ନ୍ୟାୟ ସଂହିତା ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯଦି କୌଣସି ବ୍ୟକ୍ତି ଅବାଞ୍ଛିତ ଆଚରଣ ଅର୍ଥାତ୍ ଯୌନ ପ୍ରକୃତିର ଆଚରଣ ବା ବ୍ୟବହାର ପ୍ରଦର୍ଶନ କରିବା, ତାଙ୍କ ଚାକିରୀ ଉପରେ ତାଙକୁ ସୁହାଇବା ଓ ପସନ୍ଦ ହେବା ଭଳି କିଛି ସୂଚୀତ କରିବା,ତାଙ୍କ ଚାକିରି ଉପରେ ତାଙ୍କୁ ଧମକ କିମ୍ବା କୌଣସି କ୍ଷତି କରିବାର ସୂଚୀତ କରିବା, ତାଙ୍କର ବର୍ତ୍ତମାନର ଚାକିରୀ ଓ ଭବିଷ୍ୟତର ନିଯୁକ୍ତି ଉପରେ ଆଶଙ୍କା ସୃଷ୍ଟି କରିବା ଭଳି କିଛି କହିବା, ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା କିମ୍ବା ତାଙ୍କ ପାଇଁ ଏକ ଭୟଭୀତ ଅପମାନ ଜନକ ପ୍ରତିକୂଳ ବାତାବରଣ ସୃଷ୍ଟି କରିବା, ତାଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ବିପନ୍ନ କଲାଭଳି ତାଙ୍କୁ ଅପମାନଜନକ ବ୍ଯବହାର କରିବା ହେଉଛି ଯୌନ ନିର୍ଯାତନା ।
ଅନେକ ବ୍ୟବହାର ଯାହାକୁ ପୁରୁଷ ମାନେ ଆପତ୍ତିଜନକ ନୁହେଁ ବୋଲି ଭାବନ୍ତି ତାହା ଅନେକ ମହିଳାଙ୍କ ପାଇଁ ଅପମାନଜନକ ।
କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡନ ସମ୍ମୁଖୀନ ହେଉଥିବା ଯେ କୌଣସି ମହିଳା ଘଟଣା ତାରିଖରୁ ତିନିମାସ ମଧ୍ୟରେ କିମ୍ବା ଶେଷ ଘଟଣାର ତାରିଖରୁ କ୍ରମାଗତ ଘଟଣା କ୍ଷେତ୍ରରେ ଆଇ.ସି. କିମ୍ବା ଏଲ୍.ସି. ନିକଟରେ ଲିଖିତ ଅଭିଯୋଗ କରିପାରିବେ । ଯଦି ମହିଳା ଜଣକ ଶାରିରୀକ କିମ୍ବା ମାନସିକ ଅକ୍ଷମତା କିମ୍ବା ମୃତ୍ୟୁ ବା ଅନ୍ୟାନ୍ୟ କାରଣରୁ ଅଭିଯୋଗ କରିବାକୁ ଅସମର୍ଥ ହୁଅନ୍ତି ତେବେ ଘଟଣା ବିଷୟରେ ଜାଣିଥିବା ଯେ କୌଣସି ବ୍ୟକ୍ତି ପୀଡିତାଙ୍କ ଲିଖିତ ସମ୍ମତି ସହିତ କିମ୍ବା ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ଲିଖିତ ସମ୍ମତି ସହିତ ଅଭିଯୋଗ ଦାଖଲ କରିପାରିବେ । ନିର୍ଯାତିତ ମହିଳା ଅନ୍ ଲାଇନ୍, ଇ-ମେଲ୍, ଟେକଷ୍ଟ ମେସେଜ କିମ୍ବା shebox.nic.in ପୋର୍ଟାଲରେ ନିଜର ଅଭିଯୋଗ ଦାଖଲ କରିପାରିବେ । ମହିଳା ମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ବାତାବରଣ ସୃଷ୍ଟି କରିବା ଏବଂ ସକ୍ରିୟ ଭାବରେ ଯେ କୌଣସି କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନକୁ ପ୍ରତିରୋଧ, ନିଷିଦ୍ଧ ଓ ନିରାକରଣ କରିବା ପାଇଁ ନିଯୁକ୍ତି ଦାତା ମାନେ ନୀତି/ସନନ୍ଦ, ସଂକଳ୍ପ ପତ୍ର, ପ୍ରଣୟନ ଓ ପ୍ରସାର କରିବେ । ନିୟମିତ କର୍ମଚାରୀ ମାନଙ୍କୁ ଯୌନ ଉତ୍ପିଡନ ନିରାକରଣ ପାଇଁ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ବୁଝାଇବେ ଓ ଏହି ଆଇନ୍ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଲୋଚନା କରିବାକୁ ଏକ ଫୋରମ୍ ବା ମଞ୍ଚ ତିଆରି କରିବେ । ଏହି ସଂକ୍ରିନ୍ତୀୟ ଅଭିଯୋଗ ବିଷୟରେ ବୁଝିବା ପାଇଁ ଏକ ଆଭ୍ୟନ୍ତରୀଣ କମିଟି (ଆଇ.ସି.ସି) ଗଠନ କରି ଯେଉଁମାନେ ଯୌନ ଉତ୍ପୀଡନ ଘଟଣାରେ ଦୋଷୀ ଥିବେ ଯଥାଶୀଘ୍ର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ଏହି ତାଲିମ୍ ଶିବିରରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସହକାରୀ ବ୍ଲକ୍ ଶିକ୍ଷାଧିକାରୀ, ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡ. ଶୁଭାଷିଶ ମିଶ୍ର, ମହିଳା ଓ ଶିଶୁ ସହାୟତା କେନ୍ଦ୍ର, ଛତ୍ରପୁର ସବ୍ ଇନିସ୍ପେକ୍ଟର, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଛତ୍ରପୁର, ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ଉପଖଣ୍ଡର ପ୍ରୋଗ୍ରାମ ଅଫିସର, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଗଣ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଡି. ନାଗରତ୍ନମ୍ ଓ ଜିଲ୍ଲା ମହିଳା ସଶକ୍ତି କରଣ ଉପ ବିଭାଗ ସହଯୋଗରେ ଏହି ତାଲିମ ଶିବିରର ଆୟୋଜନ କରିଥିଲେ । ଜିଲ୍ଲା ସଂଯୋଜିକା ଗୀତାଞ୍ଜଳୀ ମହାରଣା, ଲିଙ୍ଗ ବିଶେଷଜ୍ଞ ସମ୍ବଳ ଓ ସାମର୍ଥ୍ୟ ତଥା କର୍ମଚାରୀ ବୃନ୍ଦ ସମସ୍ତ ପ୍ରକାର ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ