କୋରେଇ, ୯ ଅକ୍ଟୋବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ସଦଗୁରୁ ପୋଟ୍ରୋଲ ପମ୍ପ ନିକଟରେ ଗତ ୬ ତାରିଖ ରାତିରେ ଅଟକିଥିବା ୫ଟି ଟ୍ରକରୁ ତେଲ ଚୋରି ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଥିଲା । ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରିଥିଲା । ପ୍ରକାଶଯେ, କାଳିଆପାଣିରୁ ଲୁହାପଥର ଲୋଡ କରି ୫ଟି ଟ୍ରକ ପେଟ୍ରୋଲପମ୍ପ ନିକଟରେ ସୋମବାର ବିଳମ୍ବିତ ରାତ୍ରୀରେ ଗାଡି ରଖିଥିଲେ । ମାତ୍ର ବିଳମ୍ବିତ ରାତ୍ରୀରେ କେହି ଦୃବୃର୍ତ ୫ଟି ଗାଡିରୁ ତେଲ ଚୋରି କରିନେଇଥିଲେ। ପ୍ରତ୍ୟେକ ଗାଡିରୁ ୨୮୦ ଲିଟର ଲେଖାଏଁ ତେଲ ଚୋରି ହେବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଚାଳକ ଯାଜପୁର ସଦର ଥାନା ଅନ୍ତର୍ଗତ ରେକିବାଜାର ଅଂଜଳର ସେକ ତାଜଉଦ୍ଦିନ ଅଭିଯୋଗ କରିଥିଲେ । ତାଙ୍କ ସହିତ ସେହି ରେକି ବଜାରର ଫୁରକାନ ଖାଁ, ସେକ ଅରସାଦ, ସେକ ସଫିଉଲ୍ଲା, ସେକ ଫିରଦାସ ଆଲାମ ମଧ୍ୟ ସମାନ ଅଭିଯୋଗ କରିଥିଲେ । ସେମାନେ ପେଟ୍ରୋଲପମ୍ପ ନିକଟରେ ନିଜକୁ ସୁରକ୍ଷିତ ଭାବି ଗାଡି ରଖିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସେମାନେ ଉଜାଗର ଥିବା କହିଛନ୍ତି । ହେଲେ ସବୁ ପରେ କିପରି ଚୋରି ହେଲା ତାହା ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରିଥିଲେ । ପେଟ୍ରୋଲ ପମ୍ପର ସିସିଟିଭି ଯାଂଚ କଲେ ପ୍ରକୃତ ଘଟଣାର ପର୍ଦାଫାସ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଓଡି ୦୪କିୟୁ ୪୪୩୭, ଓଡି୩୪ଏନ ୭୪୧୬, ଓଡି୦୪କିୟୁ ୬୬୨୮, ଓଡି୩୪ଟି ୮୮୫୦, ଓଡି ୩୪ଆର ୬୭୭୩ ଆଦି ଟ୍ରକରୁ ଚୋରି ଅଭିଯୋଗ ହୋଇଥିଲା । ରାଜପଥ କଡରେ ତେଲ ଚୋର ଦେକାନ କରି ସକ୍ରିୟ ରହିଥିବାର ଅଭିଯୋଗ କରାଯାଇଥିଲା । । ଏ ନେଇ ପୁଲିସ ଏକ ମାମଲା ୩୨୪/୨୫ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ରାଜପଥ ପାଶ୍ୱର୍ରେ ତେଲ ଚୋରି କରି ବିକ୍ରି କରୁଥିବା ତିନିଜଣଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଗଚ୍ଛିତ ଥିବା ୬୬୭ ଲିଟର ଡିଜେଲ ମଧ୍ୟ ଜବତ କରିଛି । ଅଢେଇବାଟିଆ ଛକ, ଓଉପଦା ଛକ ଓ କରୁଣା ହୋଟେଲ ସମ୍ନାରେ ତେଲ କିଣାବିକା କରୁଥିବା ତିନିଜଣଙ୍କୁ ଧରିବା ସହ ଡିଜେଲ ଜବତ କରି ଥାନାକୁ ଆଣିଥିଲା । ଥାନାଧିକାରୀ ରଂଜିତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତ ଅନ୍ତର୍ଗତ ଓଉପଦା ଗ୍ରାମର ପ୍ରମୋଦ ରାଉତଙ୍କ ପୁଅ ପ୍ରଭାତ ରାଉତ(୨୮), ମହମ୍ମଦ ଜମାଲପୁର (ଅଢେଇବାଟିଆିଆ) ଗ୍ରାମର ମୋହନ ବୋଇତାଇଙ୍କ ପୁଅ ମାନସ ବୋଇତାଇ(୪୦) ଓ କୋରେଇ ଥାନା ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁଅ ବିଦ୍ୟାଧର ବେହେରା(୩୯)କୁ ଗିରଫ କରାଯାଇଥିଲା । ଆଜି ସେମାନଙ୍କୁ ଦଫା ୩୦୩(୨) ବିଏନଏସରେ ଅଦାଲତ ଚାଲାଣ କରାଯାଇଥିବା ତଦନ୍ତାଧିକାରୀ ସବଇନ୍ସପେକ୍ଟର ମିନତୀ ବେହେରାଙ୍କ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ