- ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେନି ରାଜନୈତିକ ଦଳ ଓ ପ୍ରାର୍ଥୀ
- ପ୍ରାର୍ଥୀଙ୍କ ଅପରାଧିକ ବିବରଣୀର ଘୋଷଣାନାମା ଜରୁରୀ
-ତାରକା ପ୍ରଚାରକଙ୍କ ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୯ ଅକ୍ଟୋବର (ହି.ସ)- ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ୍. ଗୋପାଳନ ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଣୁ ନିର୍ବାଚନକୁ ସଫଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ବୁଥ୍ ରେ ଭୋଟର ସଂଖ୍ୟା ୧୨୦୦ ମଧ୍ୟରେ ସୀମିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ଚଳିତ ଉପନିର୍ବାଚନରେ ୧,୨୪,୧୦୮ ଜଣ ପୁରୁଷ ଭୋଟର ରହିଥିବାବେଳେ ୧,୨୯,୪୯୫ ଜଣ ମହିଳା, ୨୧ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କ ସହ ମୋଟ ୨,୫୩,୬୨୪ ଜଣ ଭୋଟର ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକାରେ ୯,୪୨୯ ଜଣ ଯୁବ ଭୋଟର ରହିଥିବାବେଳେ ୩୯୮୮ ଜଣ ଦିବ୍ୟାଙ୍ଗ ଭୋଟର ଏବଂ ୧୭୮୬ ଜଣ ବରିଷ୍ଠ ନାଗରିକ (୮୫ ବର୍ଷରୁ ଊର୍ଦ୍ଧ୍ୱ) ରହିଛନ୍ତି । ଚଳିତ ଉପନିର୍ବାଚନ ପାଇଁ ୫୬ଟି ନୂତନ ବୁଥ୍ ପ୍ରତିଷ୍ଠା ହୋଇଛି ।
ଉପନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ବୈଦ୍ୟୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଏବଂ ୱେବ୍ ମିଡ଼ିଆ ସମେତ ସିନେମାହଲ୍, ରେଡ଼ିଓ, ପୋଷ୍ଟର ଓ ହୋଡ଼ିଂ ଆଦି ଜରିଆରେ ବିଜ୍ଞାପନ ଜାରି ପୂର୍ବରୁ ଆୟୋଗଙ୍କ ଅନୁମତି ଜରୁରୀ। ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ସମ୍ପୃକ୍ତି ନେଇ ଘୋଷଣାନାମା ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ କରିବା ସହ ଆୟୋଗଙ୍କୁ ଏ ବାବଦରେ ଅବଗତ କରାଇବା ବାଧ୍ୟତାମୂଳକ କରାଯାଇଛି । ଦଳ ଓ ପ୍ରାର୍ଥୀଙ୍କ ଖର୍ଚ୍ଚର ବିବରଣୀ, ତାରକା ପ୍ରଚାରକଙ୍କ ତାଲିକା ଏବଂ ଆଦର୍ଶ ଆଚରଣ ବିଧିର ସଠିକ୍ ଅନୁପାଳନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ ଓ ରାମଚନ୍ଦ୍ର କିସ୍କୁ, ଯୁଗ୍ମ ଶାସନ ସଚିବ ଗୋପୀନାଥ କୁଅଁର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଓ ଅନାମିକା ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା