ପଣ୍ଡିତ ଗୋପବନ୍ଧୁ ଥିଲେ ସମଗ୍ର ଆର୍ଯ୍ୟାବର୍ତର ମଣି - ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ଓଡ଼ିଶା ମାଟି ଏପରି କିଛି ମଣିଷଙ୍କୁ ଜନ୍ମ ଦେଇଛି ଯେଉଁମାନେ ନିଜ ସ୍ୱାର୍ଥକୁ ଭୁଲି ଜନସେବାକୁ ନିଜ ଧର୍ମ ଭାବେ ଗ୍ରହଣ କରିଥିଲେ । ସେହିପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଏକାଧାରରେ ସେ ଥିଲେ ମହାନ୍ ଦେଶଭକ୍ତ, ମାନବବାଦୀ କ
ପଣ୍ଡିତ ଗୋପବନ୍ଧୁ ଥିଲେ ସମଗ୍ର ଆର୍ଯ୍ୟାବର୍ତର ମଣି - ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ଓଡ଼ିଶା ମାଟି ଏପରି କିଛି ମଣିଷଙ୍କୁ ଜନ୍ମ ଦେଇଛି ଯେଉଁମାନେ ନିଜ ସ୍ୱାର୍ଥକୁ ଭୁଲି ଜନସେବାକୁ ନିଜ ଧର୍ମ ଭାବେ ଗ୍ରହଣ କରିଥିଲେ । ସେହିପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଏକାଧାରରେ ସେ ଥିଲେ ମହାନ୍ ଦେଶଭକ୍ତ, ମାନବବାଦୀ କବି, ଆର୍ତ୍ତଜନତାର ବନ୍ଧୁ ଓ ସର୍ବୋପରି ନୀତିନିଷ୍ଠ ଜନନାୟକ । ଯଥାର୍ଥରେ ସେ ଥିଲେ ସେବା ଓ ତ୍ୟାଗର ଦୀପ୍ତିମନ୍ତ ପୁରୁଷ । ତାଙ୍କର ମହତ ଚିନ୍ତାଧାରା ଓ ଜୀବନ ଦର୍ଶନ ଆଜି ବି ସମଗ୍ର ବିଶ୍ୱକୁ ଦିଗଦର୍ଶନ ପ୍ରଦାନ କରୁଛି । ଦୀନ, ଦୁଃଖୀ ଓ ବନ୍ୟା ମରୁଡିଗ୍ରସ୍ତ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସେହି ମହାନ ଆତ୍ମାଙ୍କୁ ଆଜି ବି ସମଗ୍ର ଦେଶ ମନେ ରଖିଛି । ଉତ୍କଳବାସୀଙ୍କ ହୃଦୟରେ ଉତ୍କଳର ମଣି ହୋଇ ସେ ରହିଛନ୍ତି । ତାଙ୍କର ଜୀବନ ଓ ଆଦର୍ଶ ଆଜିର ଯୁବପିିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ବୋଲି ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଏମ.ଏସ.ଏମ.ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ ଯେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କୁ ଆମେ ଉତ୍କଳମଣି ବୋଲି କହୁଛେ, ମାତ୍ର ମୋ ମତ ମତରେ ସେ ସମଗ୍ର ଆର୍ଯ୍ୟାବର୍ତ୍ତର ମଣି । ଗୋପବନ୍ଧୁଙ୍କ ଜୀବନୀ ଆମ ଜାତିର ଏକ ମହଣ୍ଣପୂର୍ଣ୍ଣ ଅଧ୍ୟାୟ । ଆମ ଇତିହାସର ଏକ ଗରିମାମୟ ଅଂଶ । କାହିଁକି ନା କ୍ଲେଶରେ, ଦୁଃଖରେ, ଶୋକରେ, ଅସହାୟ-ପୀଡ଼ିତ-ନିରନ୍ନ-କରୁଣ ସ୍ଥିତିରେ ଗୋଟିଏ ନାଁ ବାରମ୍ବାର ମନେ ପଡିଥାଏ । ବିପଦ ପାରି ହେବା ପାଇଁ ଆଜି ବି ଜନଗଣ ଖୋଜନ୍ତି ଗୋପବନ୍ଧୁଙ୍କୁ । ମାନବ ସେବା ହିଁ ମାଧବ ସେବା ମନ୍ତ୍ରରେ ସେ ଅଭିମନ୍ତ୍ରିତ ହୋଇଥିଲେ । ଜନତା ଜନାର୍ଦ୍ଦନଙ୍କ ସେବା ଥିଲା ତାଙ୍କର ଧର୍ମ । ଏହା ଥିଲା ତାଙ୍କ ପାଇଁ ଦେବ ସେବା । ଗୋପବନ୍ଧୁ ଓ ତାଙ୍କ ତିନି ଜଣ ବନ୍ଧୁ ଭାର୍ଗବୀ ନଦୀକୂଳରେ ବସି ପୂର୍ଣ୍ଣିମା ଆକାଶ ତଳେ ବଜ୍ର ଶପଥ ନେଇଥିଲେ - ଆମେ ପାଠ ପଢି ସରକାରୀ ଚାକିରି କରିବା ନାହିଁ । ଦେଶ ପାଇଁ କିଛି କରିବା । ଯୌବନରେ ଏପରି ଶପଥ ଯେତିକି ବିସ୍ମୟକର, ସେତିକି ମାତ୍ରାରେ ଦୁଃସାହସିକ ଓ ତ୍ୟାଗମୟ । ସତରେ ଗୋପବନ୍ଧୁଙ୍କ ଜୀବନ କାହାଣୀ ଥିଲା ତ୍ୟାଗ ଓ ସମର୍ପଣର ଅମଳିନ ମହାସ୍ରୋତ । ସତ୍ୟବାଦୀ ଯୁଗର ପ୍ରବର୍ତ୍ତକ ପଣ୍ଡିତ ଗୋପବନ୍ଧୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ଆରମ୍ଭ କରି ଭାରତର ସ୍ୱାଧୀନତା ସଂଗ୍ରାମ, ସ୍ୱଦେଶୀ ଆନ୍ଦୋଳନ, ଅସ୍ପୃଶ୍ୟତା ନିବାରଣ, ଶିକ୍ଷା, ସଂପାଦନା ଓ ସାହିତ୍ୟ ପ୍ରତିଟି କ୍ଷେତ୍ରରେ ନିଜର ଅଲିଭା ସ୍ମୃତି ଛାଡ଼ି ଯାଇଛନ୍ତି । ଗୋପବନ୍ଧୁଙ୍କ ଜୀବନ କାହାଣୀ ଥିଲା ତ୍ୟାଗର ଅମଳିନ ମହାସ୍ରୋତ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ କହିଲେ ଯେ ଗୋପବନ୍ଧୁଙ୍କ ଜୀବନୀ ଆମ ଜାତିର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ, ଇତିହାସର ଅଂଶ । ସେ ଥିଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଭଗୀରଥ । ସତ୍ୟବାଦୀର ବନବିଦ୍ୟାଳୟରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ସେ ଯେଉଁ ସଂସ୍କାର ଆଣିଥିଲେ ତାହାର ପ୍ରାସଙ୍ଗିକତା ଆଜି ମଧ୍ୟ ଅନୁଭୂତ ହୁଏ । ଓଡ଼ିଆ ସାହିତ୍ୟକୁ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ । ତାଙ୍କର ସେବା ଓ ତ୍ୟାଗ ପାଇଁ ସେ ଆମ ଗହଣରେ ଚିରଦିନ ପାଇଁ ଆମର ହୋଇ ରହିବେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌? ଡ. ଶରତ ଚନ୍ଦ୍ର ରଥ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବେ ଆଲୋଚନା କରି କହିଲେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏକାଧାରରେ ଜଣେ ଅଗ୍ରଣୀ ସମାଜ ସଂସ୍କାରକ, ସତ୍ୟନିଷ୍ଠ ଶିକ୍ଷକ, ନୀତିବାନ ସାମ୍ବାଦିକ ଏବଂ ସମର୍ପିତ ସ୍ୱାଧୀନତା ସଂଗ୍ରାମୀ ଭାବରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି । ସେ ସାମଗ୍ରିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଜାତୀୟତାବାଦୀ ଚିନ୍ତାଧାରାକୁ ପ୍ରସାରିତ କରିବା ଏବଂ ସାର୍ବଜନୀନ ସମସ୍ୟାର ସମାଧାନ ପାଇଁ ‘ସମାଜ’ ଖବରକାଗଜ ପ୍ରତିଷ୍ଠା କରିଥିଲେ । ଅସ୍ପୃଶ୍ୟତା ବିରୁଦ୍ଧରେ ସଂଗ୍ରାମ ପରି ସାମାଜିକ ସଂସ୍କାରକୁ ସେ ସମର୍ଥନ କରିଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଥିଲେ ତ୍ୟାଗ, ସଂସ୍କାର ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ । ଆଜି ବି ସେବା, ତ୍ୟାଗ ଓ ମଣିଷପଣିଆ କଥା ପଡିଲେ ପ୍ରଥମେ ତାଙ୍କରି ନାମ ହିଁ ସ୍ମରଣ ଆସେ ବୋଲି ଡ. ରଥ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ସ୍ୱାଧୀନଚେତା ପଣ୍ଡିତ ଗୋପବନ୍ଧୁ ଥିଲେ ମାନବବାଦର ସର୍ବଶ୍ରେଷ୍ଠ ଅଗ୍ରଦୂତ । ଶିକ୍ଷାର ପ୍ରସାର ସହ ‘ସମାଜ’ ଖବରକାଗଜ ପ୍ରତିଷ୍ଠାପୂର୍ବକ ଆଧୁନିକ ସାମ୍ବାଦିକତାର ବୀଜ ବପନ କରିଥିଲେ ପଣ୍ଡିତ ଗୋପବନ୍ଧୁ । ଅସ୍ପୃଶ୍ୟତା ବିରୁଦ୍ଧରେ ସଂଗ୍ରାମ ପରି ସାମାଜିକ ସଂସ୍କାରକୁ ସେ ସମର୍ଥନ କରିଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜଣେ ଅଗ୍ରଣୀ ସମାଜ ସଂସ୍କାରକ, ସତ୍ୟନିଷ୍ଠ ଶିକ୍ଷକ, ନୀତିବାନ ସାମ୍ବାଦିକ ଏବଂ ସମର୍ପିତ ସ୍ୱାଧୀନତା ସଂଗ୍ରାମୀ ଭାବରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ରାଜଧାନୀ କଳା ନିକେତନ ତରଫରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରା ଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂହ, ଅତିରିକ୍ତ ସଚିବ ଅଶୋକ କୁମାର ବେଉରିଆ, ଜୟଦେବ ଭବନର ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande