
ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ଛକରେ ଦିନକୁ ଦିନ ଜବରଦଖଲ ବଢ଼ିବାରେ ଲାଗିଛି। କିଛି ଲୋକ ଉକ୍ତ ଛକରେ ଥିବା ସରକାରୀ ଜମିକୁ ଜବରଦଖଲ କରି ସେଠାରେ ବେଆଇନ ଭାବେ କୋଠା ଓ ଦୋକାନ ଘର ନିର୍ମାଣ କରିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ ରାଜସ୍ୱ ନିରୀକ୍ଷକଙ୍କୁ ଅବଗତ କରିବାରୁ ରାଜସ୍ୱ ନିରୀକ୍ଷକ ବାରଣ କରିବା ସହିତ ଏକ ନୋଟିସ ଲଗାଇ ଚୁପ ହୋଇ ବସିଥିବା ଅଭିଯୋଗ ହୋଇଛି। ଭଦ୍ରକରୁ ପଡୋଶୀ ଜିଲା ଯାଜପୁରକୁ ଏହା ମୁଖ୍ୟ ସଂଯୋଗ ରାସ୍ତା ହୋଇଥିବାରୁ ଦୈନିକ ଶହଶହ ଗାଡ଼ି ମଟର ଚଳାଚଳ କରୁଛି। ଏଠାରୁ ମଧ୍ୟ ଭୁବନେଶ୍ୱର, କଟକ ଓ ଭଦ୍ରକ କୁ ବସ ଚଳାଚଳ କରିବା ସହିତ ଏହି ରାସ୍ତା ଦେଇ ବିଭିନ୍ନ ଅଞ୍ଚଳକୁ ଛୋଟ ବଡ଼ ଯାନ ଆତଯାତ କରୁଛି। ଜବରଦଖଲ ଯୋଗୁଁ ରାସ୍ତା କ୍ରମଶଃ ସଙ୍କୁଚିତ ହେବାରୁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି। ଏନେଇ ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପତିଙ୍କ ନେତୃତ୍ୱରେ ସ୍ଥାନୀୟ ଜନସାଧାରଣ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ତେବେ ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ