
ଭଦ୍ରକ, ୫ ନଭେମ୍ବର (ହି.ସ.) - ଧର୍ମରମାସ କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଉତ୍ସବମୁଖର ହୋଇଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏହି ଅବସରରେ ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠରେ ୨୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା। କାର୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିରରେ ଦିନ ତମାମ ଚାଲିଥିଲା ସ୍ୱତନ୍ତ୍ର ନୀତିକାନ୍ତି । ଦୈନଦିନ ନୀତି ନିର୍ଘଂଟ ସାମାନ୍ୟ ପରିବର୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ଶିବଗଙ୍ଗା ପୁଷ୍କରିଣୀରେ ହଭିଷାଳୀ ଭକ୍ତଙ୍କ ସହ ହଜାର ହଜାର ଭକ୍ତ ବୋଇତ ଭସାଇବା ସହ ବୁଡ ପକାଇଥିଲେ । ବାବାଙ୍କ ପାଖରେ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ଦିଗମ୍ବର ବେଶରେ ବାବାଙ୍କୁ ପହିଲି ବାଲ୍ୟ ଭୋଗ ଲାଗି କରାଯାଇଥିଲା। ଭୋର ୫ଟାରୁ ରାତି ୧୦ ଯାଏଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ସାହଣ ମେଲା କରାଯାଇଥିଲା। ମଧ୍ୟାହ୍ନ ୧ଟାରେ ବାବାଙ୍କୁ ରୂପା ଅଳଙ୍କାରରେ ପଂଚାନନ ବେଶରେ ସଜ୍ଜିତ କରାଯାଇ ବଡ଼ଅନ୍ନ ନୀତିଭୋଗ ଲାଗି କରାଯାଇ ଏକ ଘଂଟା ଶୟନ ନୀତି କରାଯାଇଥିଲା। ଅପରାହ୍ଣରେ କାର୍ତିକ ପୂର୍ଣ୍ଣିମା ନୀତି ଅବସରରେ ପରମ୍ପରା ଅନୁଯାୟୀ ବାବାଙ୍କୁ ହରଗୌରୀ ବେଶରେ ସଜ୍ଜିତ କରାଯାଇ ସାହାଣ ମେଲା ଦର୍ଶନ କରାଯାଇଥିଲା। ସେହିପରି ପଂଚୁକ ବ୍ରତ ଅବସରରେ ମନ୍ଦିର ବେଢ଼ାରେ ପବିତ୍ର ଅଁଳା ନବମୀ ଠାରୁ ଆରମ୍ଭ ହୋଇଥିବା ଭାଗବତ ସପ୍ତାହ ମଣ୍ଡପରେ ହରିହର ଭେଟ ସହ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହାଯଜ୍ଞ ଅନୁଷ୍ଠିତ ହୋଇ ମଧ୍ୟରାତ୍ରରେ ସମ୍ପନ୍ନ କରାଯାଇଥିଲା। ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଦକ୍ଷିଣ ଦ୍ୱାର ଠାରୁ ଶିବଗଙ୍ଗା ପୁଷ୍କରିଣୀ ଯାଏଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିଲା। ତାହା ସହ ଜିଲା ପୁଲିସ ପକ୍ଷରୁ ପୀଠ ସମେତ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହ ବୈତରଣୀ ନଦୀ ଘାଟ ଓ ଶିବଗଙ୍ଗା ପୁଷ୍କରିଣୀ ଘାଟରେ ଅଗ୍ନିଶମ ବାହିନୀ ସହ ପୁଲିସ ମୃତ୍ୟୟନ ରହିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ