ଚର୍ଚ୍ଚାରେ ବରପଦା ଇଞ୍ଜିନିୟରିଂ କଲେଜ, ବିଶ୍ୱ ବିଦ୍ୟାଳୟ ଲାଗି ୨୫ ଏକର ଜମି ଦେବାକୁୁ ସମ୍ମତି
ଭଦ୍ରକ, ୫ ନଭେମ୍ବର (ହି.ସ.) - ପୁଣି ଚର୍ଚ୍ଚାକୁ ଆସିଛି ବରପଦା ଇଞ୍ଜିନିୟରିଙ୍ଗ କଲେଜ। ଅତୀତରେ କଲେଜ ପରିଚାଳନା ସମିତି ଭିତରେ ବିବାଦ, ଦୁର୍ନୀତି ଆଦିକୁ ନେଇ କଲେଜ ଚର୍ଚାକୁ ଆସିଥିବା ବେଳେ ଏଥରକ ସକରାତ୍ମକ ଚର୍ଚାର ପରିଧିକୁ ଆସିଛି କଲେଜ। ଇଞ୍ଜିନିୟରିଙ୍ଗ କଲେଜ ଦଖଲରେ ଥିବା ଶିଳ୍ପ ବିଭାଗର ୨୦ଏକର
BARAPADA ENGINEERING COLLEGE CHARCHARE


ଭଦ୍ରକ, ୫ ନଭେମ୍ବର (ହି.ସ.) - ପୁଣି ଚର୍ଚ୍ଚାକୁ ଆସିଛି ବରପଦା ଇଞ୍ଜିନିୟରିଙ୍ଗ କଲେଜ। ଅତୀତରେ କଲେଜ ପରିଚାଳନା ସମିତି ଭିତରେ ବିବାଦ, ଦୁର୍ନୀତି ଆଦିକୁ ନେଇ କଲେଜ ଚର୍ଚାକୁ ଆସିଥିବା ବେଳେ ଏଥରକ ସକରାତ୍ମକ ଚର୍ଚାର ପରିଧିକୁ ଆସିଛି କଲେଜ। ଇଞ୍ଜିନିୟରିଙ୍ଗ କଲେଜ ଦଖଲରେ ଥିବା ଶିଳ୍ପ ବିଭାଗର ୨୦ଏକର ଜମି ସହିତ ଇଞ୍ଜିନିୟରିଙ୍ଗ କଲେଜ ନାମରେ ଥିବା ୫ ଏକର ଜମିକୁ ମିଶାଇ ମୋଟ ୨୫ ଏକର ସରକାରୀ ଜମି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ଲାଗି ସମ୍ମତି ପ୍ରଦାନ ପୂର୍ବକ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି କଲେଜ ପରିଚାଳନା ସଭାପତି ଇଂ ପ୍ରୟାସକାନ୍ତି ସାମଲ। ଉକ୍ତ ଜମିକୁ ସରକାରୀ ବିଶ୍ୱ ବିଦ୍ୟାଳୟ ସ୍ଥାପନ ଅଥବା ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରିବାକୁ ଚିଠିରେ ଦର୍ଶାଇଛନ୍ତି ଶ୍ରୀ ସାମଲ। ଚିଠିରୁ ମିଳିଥିବା ତଥ୍ୟାନୁଯାୟୀ; ବରପଦା ଇଞ୍ଜିନିୟରିଙ୍ଗ କଲେଜ ଦଖଲରେ ଶିଲ୍ପ ବିଭାଗର ୨୦.୩୨୦ ଏକର ଜମି ରହିଛି। ୪ଦଶନ୍ଧି ତଳେ ଉକ୍ତ ଜମିକୁ ଇଞ୍ଜିନିୟରିଂ କଲେଜ ପରିଚାଳନା ସମିତିକୁ ହସ୍ତାନ୍ତର କରିବାକୁ ସରକାରୀ ସ୍ତରରେ ନିଷ୍ପତି ହୋଇଥିଲା କିନ୍ତୁ ତାହା ଇଞ୍ଜିନିୟରିଙ୍ଗ କଲେଜ ନାମରେ ରେକର୍ଡଭୁକ୍ତ ଅଥବା ଚୁକ୍ତିନାମା ହୋଇନଥିଲା। ହସ୍ତାନ୍ତର ପ୍ରକ୍ରିୟା ଚୂଡାନ୍ତ ହୋଇନଥିଲେ ବି ସେତକ ଜମି ଏବେ ବି ବରପଦା ଇଂଜିନିୟରିଙ୍ଗ କଲେଜ ଦଖଲରେ ଅଛି। ତେବେ ପରିଚାଳନା ସମିତି ସଭାପତି ଶ୍ରୀ ସାମଲ ଉକ୍ତ ଜମିକୁ ଲାଗିକରି ଥିବା ଇଂଜିନିୟରିଙ୍ଗ କଲେଜର ନିଜସ୍ୱ ୪.୭୪ ଏକର ଜମିକୁ ମଧ୍ୟ ସରକାରଙ୍କୁ ହସ୍ତାନ୍ତର କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଦୁଇଟି ଯାକ ଜମି ମିଶିଲେ ମୋଟ ୨୫ ଏକରରୁ ଅଧିକ ଜମି ହେବ। ଏତକ ଜମିକୁ କଲେଜ ପକ୍ଷରୁ ସରକାରଙ୍କୁ ହସ୍ତାନ୍ତର ଲାଗି କଲେଜ ପରିଚାଳନା ସମିତିରେ ପ୍ରସ୍ତାବ ପାରିତ ହୋଇଛି। ଏହି ଜମିରେ ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଇପାରେ ଅଥବା ବୃହତ୍ତର ସ୍ୱାର୍ଥକୁ ଆଖିଆଗରେ ରଖି ଅନ୍ୟ କୌଣସି ମହତ ଉଦ୍ଦେଶ୍ୟରେ ଉକ୍ତ ଜମି ବ୍ୟବହାର କରାଯାଇ ପାରେ ବୋଲି ଶ୍ରୀ ସାମଲ ଦର୍ଶାଇଛନ୍ତି। ତେବେ ଶିଳ୍ପ ବିଭାଗ ମାଲିକାନାରେ ଥିବା ତଥା ଇଂଜିନିୟରିଙ୍ଗ କଲେଜ ଦଖଲରେ ଥିବା ଜମି ସହିତ କଲେଜର ନିଜସ୍ୱ ଜମି କେମିତି ହସ୍ତାନ୍ତର ହୋଇପାରିବ ସେଥିନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ସାମଲ। ଉକ୍ତ ଜମି ବାବଦରେ ସବିଶେଷ ତଥ୍ୟ ସହ ଏକ ସ୍କେଚ ମ୍ୟାପ ଜିଲାପାଳଙ୍କୁ ଲେଖିଥିବା ଚିଠିରେ ସଂଲଗ୍ନ କରିଛନ୍ତି । ସୂଚନାଥାଉକି: ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ଓ ମେଡିକାଲ କଲେଜ ସ୍ଥାପନ ଲାଗି ଦାବି ହୋଇ ଆସୁଥିବା ବେଳେ ବିଜେପି ସରକାର ଏହା ଉପରେ ସକରାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି। ମେଡିକାଲ କଲେଜ ସ୍ଥାପନ ଲାଗି ସରକାର ଆନୁଷ୍ଠାନିକ ଭାବେ ଘୋଷଣା ସାରିଛନ୍ତି। ପୁଣି ଖୁବଶୀଘ୍ର ବିଶ୍ୱ ବିଦ୍ୟାଳୟ ସ୍ଥାପନ ଲାଗି ଘୋଷଣା ହେବ ବୋଲି କୁହାଯାଇଛି। ଏ ପରିପ୍ରେକ୍ଷୀରେ ଉକ୍ତ ୨୫ ଏକର ଜମି ସରକାରୀ ଘୋଷଣାନାମାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସହାୟକ ହେବା ନିଶ୍ଚିତ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande