
ମାଲକାନଗିରି, ୫ ନଭେମ୍ବର (ହି.ସ.)କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲି ଅବସ୍ଥିତ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସର ଭକ୍ତି, ଆନନ୍ଦ ଓ ଉଲ୍ଲାସରେ ଭରି ଯାଇଥିଲା। ଏଠାରେ ଆଜି ଶୁଭ ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ ଲକ୍ଷଦୀପ ପ୍ରଜ୍ବଳନ ଅନୁଷ୍ଠିତ ହୋଇଥିଲା।ସକାଳୁ ଆରମ୍ଭ ହୋଇଥିବା ନାମଯଜ୍ଞରେ ଦୂରଦୂରନ୍ତ ଅଞ୍ଚଳରୁ ଆସିଥିବା ଭକ୍ତମାନେ ଭଗବାନ ଜଗନ୍ନାଥଙ୍କ ନାମସଂକୀର୍ତନରେ ମଗ୍ନ ହୋଇଥିଲେ। ସନ୍ଧ୍ୟାବେଳେ ମନ୍ଦିର ପରିସର ଓ ଗାଁର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏକ ଲକ୍ଷ ଦୀପ ଜାଳିବା ସହ ସମଗ୍ର ପରିବେଶ ଆଲୋକିତ ହୋଇଯାଇଥିଲା। ଆଲୋକର ଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତ ଭିଡ଼ ଜମା ହୋଇଥିଲେ।ଅଷ୍ଟପ୍ରହରୀ ସହିତ ଅନ୍ନଭୋଗର ବିଶେଷ ଆୟୋଜନ ମଧ୍ୟ ହୋଇଥିଲା। ପ୍ରାୟ ୧୦ ହଜାର ଲୋକ ଭୋଗ ସେବନ କରିଥିଲେ। ଆୟୋଜକ ଟ୍ରଷ୍ଟ ପକ୍ଷରୁ ଜଣାପଡ଼ିଛି ଯେ ଆସନ୍ତା ଦୁଇ ଦିନ ଧରି ଅନ୍ନଭୋଗ ବିତରଣ ଓ ନାମଯଜ୍ଞ ଅବିରତ ଚାଲିବ। ଏହି ଧାର୍ମିକ ଆୟୋଜନରେ ମୋଟ ପ୍ରାୟ ୫୦ ହଜାର ଭକ୍ତଙ୍କ ଭାଗୀଦାରୀ ହେବ ବୋଲି ଆଶା କରାଯାଇଛି।
ଏହି କାର୍ଯ୍ୟକ୍ରମର ପଛରେ ଥିଲେ ଗୋବିନ୍ଦପାଲି ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଭାପତି କିଶୋର ଚନ୍ଦ୍ର ରଥ, ଉପସଭାପତି ଗୁପ୍ତେଶ୍ୱର ବ୍ରହ୍ମା ଓ ଅନ୍ୟାନ୍ୟ ଟ୍ରଷ୍ଟି ସଦସ୍ୟମାନେ। ସଭାପତି ରଥ ଓ ଉପସଭାପତି ବ୍ରହ୍ମା କହିଥିଲେ ଯେ ଗ୍ରାମବାସୀ ଓ ଭକ୍ତମାନଙ୍କ ନିରନ୍ତର ସହଯୋଗ ଓ ଶ୍ରଦ୍ଧା ଫଳରେ ଏହି ମହାଧାର୍ମିକ କାର୍ଯ୍ୟ ସଫଳ ହୋଇପାରିଛି।
ଅଞ୍ଚଳର ଭକ୍ତମାନେ ଏହି ଆୟୋଜନକୁ ନେଇ ଅତ୍ୟନ୍ତ ଆନନ୍ଦ ଓ ଗୌରବ ବ୍ୟକ୍ତ କରିଛନ୍ତି। ଗୋବିନ୍ଦପାଲି ମନ୍ଦିର ପରିସରରେ ଏପରି ଗଣଧାର୍ମିକ ଆୟୋଜନ ଦେଖି ଅଞ୍ଚଳର ଲୋକମାନେ ଭଗବାନ ଜଗନ୍ନାଥଙ୍କ କୃପାରେ ଧନ୍ୟ ଅନୁଭବ କରୁଛନ୍ତି।ଏହି କାର୍ଯ୍ୟକ୍ରମ ର ଅୟୋଜନ ର ଦାଇତ୍ୱ ମୁଖ୍ୟତଃ ଟ୍ରଷ୍ଟ ର ମେମ୍ବର ପ୍ରତାପ ମିଶ୍ର ଓ ସରୋଜ ପଣ୍ଡା ନେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ