
ଖୋର୍ଦ୍ଧା, ୦୫ ନଭେମ୍ବର(ହି.ସ.) – ବାଲୁଗାଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ରୁ ଉକ୍ତ ବ୍ୟାଙ୍କର ଜନୈକ କର୍ମଚାରୀ ବନ୍ଧକ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଆତ୍ମସାତ କରିଥିବା ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ଗତ ଅଗଷ୍ଟ ୫ ରେ ଟଙ୍କା ଆତ୍ମସାତ ନେଇ ବାଲୁଗାଁ ଏସ୍ବିଆଇ ଶାଖା ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ କୁମାର ସେଠି ବାଲୁଗାଁ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ଉକ୍ତ ବ୍ୟାଙ୍କରେ କାର୍ଯ୍ୟରତ ଥିବା ତତ୍କାଳୀନ ବରିଷ୍ଠ ସହାୟକ (ସିନିୟର ଆସୋସିଏଟ, କ୍ୟାସ ଇନଚାର୍ଜ) ଜିତେନ୍ଦ୍ର କୁମାର ବିଶ୍ୱାଳ ଅନ୍ଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ସହିବା ପରେ ଏହାର ଭରଣା ପାଇଁ ବାଲୁଗାଁ ଏସ୍?ବିଆଇ ବ୍ୟାଙ୍କରେ ବନ୍ଧକ ଥିବା ୧୨ ପ୍ୟାକେଟ ସୁନା ଅଳଙ୍କାର ଆଣି ବାଲୁଗାଁରେ ଥିବା ଏକାଧିକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ବନ୍ଧା ରଖି ଟଙ୍କା ଆତ୍ମସାତ୍ କରିଥିଲେ।ସେହିପରି ଭାବେ ଏସ୍?ବିଆଇ ଏଟିଏମରେ ଭର୍ଲି ପାଇଁ ଆସିଥିବା ୬ ଲକ୍ଷ ୨୭ ହଜାର ଟଙ୍କା ଏବଂ ବ୍ୟାଙ୍କରୁ ୭୫ ହଜାର ନଗଦ ଟଙ୍କା ମଧ୍ୟ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ସୁନା ଅଳଙ୍କାର ମୂଲ୍ୟ ଓ ନଗଦ ଅର୍ଥ ମିଶାଇ ମୋଟ ୭୬ ଲକ୍ଷ ୯୮ ହଜାର ଟଙ୍କା ସେ ଆତ୍ମସାତ କରିଥିବା ଥାନାରେ ଅଭିଯୋଗ ହୋଇଛି।
ତେବେ ଉକ୍ତ ବ୍ୟାଙ୍କର କର୍ମଚାରୀ ଜଣକ ଶ୍ରୀ ବିଶ୍ୱାଳ ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ଏସବିଆଇ ସର୍କଲର ଚିଫ ଜେନେରାଲ ମ୍ୟାନେଜର ଏବଂ ଜୁଲାଇ ୨୯ ତାରିଖରେ ବାଲୁଗାଁ ଶାଖା ମୁଖ୍ୟ ପ୍ରବନ୍ଧକଙ୍କୁ ଚିଠି ଦ୍ୱାରା ଜଣାଇ ଫେରାର ହୋଇଯାଇଛନ୍ତି।
ଅନୁରୂପ ଭାବେ ଅନ୍ଲାଇନ ଟ୍ରେଡିଂରେ କ୍ଷତି ଦ୍ୱାରା ସେ ଦୀର୍ଘ ଦିନ ଧରି ମାନସିକ ଚାପରେ ଥିଲେ ଏବଂ ଭବିଷ୍ୟତରେ ହେବ ଯଦି ଆତ୍ମହତ୍ୟା କରିପାରନ୍ତି। ତେଣୁ ଉକ୍ତ ଆତ୍ମସାତ ଘଟଣାରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ସେ ତାହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉକ୍ତ ଚିଠିରେ ଲେଖିଥିଲେ। ବାଲୁଗାଁ ପୋଲିସ ଏ ନେଇ କେସ ନମ୍ବର ୨୩୫/୨୫ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଏନେଇ ଯେଉଁ ଗ୍ରାହକଙ୍କ ଟଙ୍କା ଓ ସୁନା ଅଳଙ୍କାର ଆତ୍ମସାତ ହୋଇଛି ସେମାନଙ୍କୁ ସେମାନଙ୍କ କ୍ଷତିପୂରଣ ନିଶ୍ଚିତ ମିଳିବ ବୋଲି ବାଲୁଗାଁ ଶାଖା ମୁଖ୍ୟ ପ୍ରବନ୍ଧକ ଶ୍ରୀ ସେଠୀ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ