ବୁଦ୍ଧେଶ୍ୱର ବାଲିଯାତ୍ରାରେ ୫୦ ହଜାର ଜନ ସମାଗମ ବ୍ରାହ୍ମଣୀ ନଦୀରେ ପ୍ରାୟ ୧୦ ହଜାର ଭକ୍ତ କାର୍ତିକ ବୁଡ଼ ପକାଇଲେ
ଭୁବନ, ୦୫ ନଭେମ୍ବର(ହି.ସ.) – ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱରଙ୍କ ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକ ବୁଡ଼ ପକାଇ ଡଙ୍ଗ
ବୁଦ୍ଧେଶ୍ୱର ବାଲିଯାତ୍ରାରେ ୫୦ ହଜାର ଜନ ସମାଗମ ବ୍ରାହ୍ମଣୀ ନଦୀରେ ପ୍ରାୟ ୧୦ ହଜାର ଭକ୍ତ କାର୍ତିକ ବୁଡ଼ ପକାଇଲେ


ଭୁବନ, ୦୫ ନଭେମ୍ବର(ହି.ସ.) – ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱରଙ୍କ ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକ ବୁଡ଼ ପକାଇ ଡଙ୍ଗା ଭସାଇ ବାବା ବୁଦ୍ଧେଶ୍ୱରଙ୍କୁ ଦର୍ଶନ କରିଥିଲେ। ମାସକ ଯାକ ହବିଷ ପାଳନ କରୁଥିବା ମହିଳାମାନେ ରାଇ ଦାମୋଦର(ରାଧା ଗୋବିନ୍ଦ)ଙ୍କ ପୂଜା ବିଭିନ୍ନ ଢଙ୍ଗରେ କରି ବ୍ରତ ସମାପନ କରିଥିଲେ। ବଡ଼ି ଭୋର୍‌ରୁ ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଭକ୍ତମାନେ ଧାଡ଼ିରେ ଯାଇ ଶୃଙ୍ଖଳିତ ଭାବେ ଠାକୁର ଦର୍ଶନ କରିଥିଲେ। ତୈଳିକ ବୈଶ୍ୟ ସମାଜ ତରଫରୁ ଆକର୍ଷଣୀୟ ୨୩ତମ ବାର୍ଷିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବରେ ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବ କାଳରେ ଆଜିର ଦିନରେ ସାଧବ ପୁଅମାନେ ବାଣିଜ୍ୟ କରିବାକୁ ଜାଭା, ବୋର୍ଣ୍ଣିଓ, ସୁମାତ୍ରା ପ୍ରଭୃତି ଅଂଚଳକୁ ଯାଉଥିବାରୁ ସାଧବ ବେଶରେ ସଜ୍ଜିତ ସାଧବ ପୁଅମାନଙ୍କ ଶୁଭ ମନାସି ବନ୍ଦାପନା କରି ସଙ୍କୀର୍ତନ ଜରିଆରେ ବୁଦ୍ଧେଶ୍ୱର ମନ୍ଦିରକୁ ପାଛୋଟି ଆଣିଥିଲେ। ଆର୍ଯ୍ୟ ସମାଜ ତରଫରୁ ଆରମ୍ଭ ହୋଇଥିବା ବିଶ୍ୱ ଶାନ୍ତି ମହାଯଜ୍ଞ ଆଜି ଅପରାହ୍ନରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଲୋକମାନେ ଦୋଳି, ମିନା ବଜାର ସାଙ୍ଗକୁ ପ୍ରସିଦ୍ଧ ବରା ଘୁଗୁନି, ଦହିବରା ଆଳୁଦମ୍‌, ଚାଟ, ଦୋସା, ଠୁଙ୍କାପୁରୀ, ଫାଷ୍ଟ ଫୁଡ୍ ଦୋକାନ, ମନୋହରୀ ଦୋକାନ, ଆଇସକ୍ରିମ ପାର୍ଲରରେ ମନଭରି ଖିଆ ପିଆ କରିବା ସହ ଡଲା, କୁଲା, ଲୁହା ଲତା ଘରକରଣା ସାମଗ୍ରୀ ଓ ହାଟ ବଜାରରେ ମିଳୁନଥିବା ବିଭିନ୍ନ ଜିନିଷ କିଣାକିଣି କରିଥିଲେ। ଚଳିତ ବର୍ଷ ବାଲିଯାତ୍ରାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଜନ ସମାଗମ ହୋଇଥିଲା। ପରମ୍ପରା ଅନୁଯାୟୀ ପୁରୁଷୋତମପୁର ଶାସନରୁ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତିଙ୍କୁ ଶୋଭାଯାତ୍ରାରେ ଅଣାଯାଇ ହରିହର ଭେଟ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟଙ୍କ ସମେତ ଭୁବନ ଥାନା ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande