
ଭଦ୍ରକ, ୫ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳର ପରିଷଦ ଅଧୀନରେ ଥିବା ଜଗୁସାଗର ପୋଖରୀ ଉନ୍ନତିକରଣ କାମକୁ ନେଇ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଆଜି ସ୍ଥିତି ପରିଦର୍ଶନ କରିଛନ୍ତି। ବଜାର ମଝିରେ ଥିବା ଏହି ପୁରାତନ ପୋଖରୀ ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବାରୁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଏହାର ପୁନରୁଦ୍ଧାର କରିବାକୁ ଦାବୀ କରୁଥିଲେ। ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରୟାସରେ ଏହି ପୋଖରୀ ଉନ୍ନତି ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏହା ପରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ସ୍ଥଳରେ ପହଂଚି ପୋଖରୀର ବର୍ତମାନ ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ସମ୍ପର୍କିତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରି ଶୀଘ୍ର ଉନ୍ନତିକାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସାଂସଦଙ୍କ ପରିତିନିଧି ସରୋଜ ମହାପାତ୍ର, ମନ୍ତ୍ରୀଙ୍କ ପ୍ରତିନିଧି କୈଳାଶ ମହାପାତ୍ର, ବିଜୟ ରାମ, ସୁମ୍ୟରଞ୍ଜନ୍ ସାହୁ, ପ୍ରଣୟ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଅଂଚଳବାସୀ ସ୍ୱାଗତ କରି ଜଗୁସାଗର ପୋଖରୀ ପୁନଃ ନୂତନ ରୂପ ନେବା ଆଶା ବ୍ୟକ୍ତ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ