


ଖୋର୍ଦ୍ଧା 5 ନଭେମ୍ବର (ହି.ସ.)ପୁଣି ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ମୁହାଁମୁହିଁ । ଢେଲା ପଥର ମାଡ ମାଡ଼ରେ ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା । ୭ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଓସ୍ତପୁର କୋଟପଲା ଗାଁରେ ଏପରି ସ୍ଥିତି ଉପୁଜିଛି । ଖବର ପାଇ ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଘଟଣା ସ୍ଥଳ ପରିଦର୍ଶନ କରି ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ତେବେ ନାମଫଳକ ଲାଗିବାକୁ ନେଇ ବିବାଦ । ବିବାଦ ଆଜିର ନୁଁହେଁ ପ୍ରାୟ ବର୍ଷ ବର୍ଷ ଧରି ଏଭଳି ବିବାଦ ଓ ଉତେଜନା ବାରମ୍ବାର ଉପୁଜୁଛି । ଆଜି କିନ୍ତୁ ସବୁ ସୀମା ପାର କରି ଉଭୟ ପକ୍ଷର ଗ୍ରାମବାସୀ ଲଙ୍କାକାଣ୍ଡ ଘଟାଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଓସ୍ତପୁର ଓ କୋଟପଲା ଗ୍ରାମରେ । ରାସ୍ତାର ଦୁଇ ପାର୍ଶ୍ୱରେ ଉଭୟ ଗାଁ ରହିଥିଲେ ମଧ୍ୟ ଗାଁର ନାମ ଫଳକ ଲଗାଇବାକୁ ନେଇ ସବୁବେଳେ ବିବାଦ ଲାଗି ରହିଛି ।
ସୁଚନା ମୁତାବକ ମଙ୍ଗଳବାର ରାତିରେ ଗାଁର ନାମ ଥିବା ସରକାରୀ ଫଳକ କେହି ଦୁର୍ବୃତ୍ତ କାଢି ନେବା ପରେ ଆଜି ସକାଳୁ ସ୍ଥାନୀୟ ବଜାର ଉପରେ ତୀବ୍ର ଉତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକ ବଜାର ଉପରେ ଥିବା ୭ଟି ଦୋକାନ ଘରେ ନିଆଁ ଲଗାଇଦେବା ସହ ଦୋକାନରୁ ଲୁଟପାଟ କରିଥିଲେ । ଅନେକ ଦୋକାନକୁ ଭଙ୍ଗାରୁଜା କରିବା ସହ ଉଭୟ ପକ୍ଷ ଟେକା ପଥର ଓ କାଚ ବୋତଲ ମାଡ଼ କରିଥିଲେ ।ଫଳରେ ସିମର ବାଙ୍କୀ ମୁଖ୍ୟ ରାସ୍ତାରେ ପାଞ୍ଚ ଘଣ୍ଟା ଧରି ଗାଡି ଚଳାଚଳ ଠପ ହୋଇଯାଇଥିଲା । ଖବର ପାଇ ଖୋର୍ଦ୍ଧା ଏସପି ଏକ ପ୍ଲାର୍ଟୁନ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।ପରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଶାନ୍ତି କମିଟି ଗଠନ କରି ଉଭୟ ଗ୍ରାମବାସୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସ୍ଥିତି ଉପରେ ନଜର ରଖିବାକୁ ଏକ ପ୍ଲାର୍ଟୁନ ଫୋର୍ସ ସହ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ।ଏନେଇ ଏସପି ବିବେକାନନ୍ଦ ଶର୍ମା କହିଛନ୍ତି, ‘ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଛି । କିଛି ଦୋକାନ ଜାଳି ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଆଗକୁ ଯାହା ପଦକ୍ଷେପ ନିଆଯିବା କଥା ନେବୁ । ପ୍ରକାଶ ଥାଉକି ପୂର୍ବରୁ ଅଗଷ୍ଟ ମାସରେ ସମାନ କଥାକୁ ନେଇ ଉଭୟ ଗ୍ରାମର ଭିତରେ ବିବାଦ ହେବା ସହ ଦୋକାନ ବଜାର ଭଙ୍ଗାରୁଜା ହୋଇଥିଲା । ସେତେବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ବିଏନଏସ ଧାରା ୧୬୩ ଲାଗୁ କରିଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ଗତ ଅକ୍ଟୋବର ୩୦ ତାରିଖରେ ଏହି ଧାରା ହଟାଯାଇଥିଲା । କିନ୍ତୁ ପୁଣିଥରେ ଆଜିର ଏ ଘଟଣା ପ୍ରଶାସନ ଏବଂ ପୋଲିସ ପାଇଁ ଚାନ୍ତର ବିଷୟ ପାଲଟିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ