
ଜୟପୁର, 5 ନଭେମ୍ବର (ହି.ସ.)ଜୟପୁର ସଦରଥାନା ଅଧିନସ୍ଥ ତେଲିଗୁଡା ଲକ୍ଷ୍ମୀନାରାୟଣ ନଗରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୋରରୁ ପରିବାର ଲୋକ ଘର ତାଲା ଦେଇ ମନ୍ଦିର ଯାଇ ମାତ୍ର ଦୁଇ ଘଣ୍ଟାରେ ଫେରିବା ବେଳେ ତାଲା ଭାଙ୍ଗି ସୁନା ଅଳଙ୍କାର ଏବଂ ଟଙ୍କା ଚୋରି ନେଇ ସଦରଥାନାରେ ଲିଖିତ ଅଭିଯୋଗ ହୋଇଛି । ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଦଳକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ସୂଚନା ଅନୁଯାୟୀ , ଅଭିଯୋଗକାରୀ ଭାସ୍କର ଭୁୟାଁ ଏବଂ ତାଙ୍କ ପତ୍ନୀ ଆଜି ଭୋର ସାଢେ ୪ଟାରେ କେନାଲରେ ଡଙ୍ଗା ଭସାଇ ନିକଟସ୍ଥ ଶିବ ମନ୍ଦିର ଏବଂ ଅନ୍ୟାନ୍ୟ ମନ୍ଦିର ବୁଲି ସକାଳ ସାଢେ ୬ଟାରେ ଘରକୁ ଫେରିଥିଲେ । କିନ୍ତୁ ଘରର ମୁଖ୍ୟ ଦୁଆରର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଭିତରେ ପ୍ରବେଶ କରିବା ବେଳେ ଆଲମାରୀ ଭାଙ୍ଗି ଭିତର ଜିନିଷ ଛାରଖାର ଭାବେ ପଡିରହିଥିଲା । ଅଭିଯୋଗକାରୀ ତୁରନ୍ତ ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତି କରିଥିଲେ । ଆଲମାରୀରୁ ୩୫ ହଜାର ଟଙ୍କା ଏବଂ ଅଢେଇ ତୋଳାର ସୁନା ଅଳଙ୍କାର ଚୋରି ହୋଇଥିବା ବେଳେ ବଳକା ସାମଗ୍ରୀ ସୁରକ୍ଷିତ ରହିଥିଲା । କିନ୍ତୁ ଅଭିଯୋଗକାରୀ ଏବଂ ପତ୍ନୀ ମନ୍ଦିର ବାହାରିବା ବେଳେ କିଛି ଯୁବକ ତାଙ୍କର ଘରର ସମ୍ମୁଖରେ ବାଇକରେ ଠିଆ ହୋଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି