

ପୁରୀ, 5 ନଭେମ୍ବର (ହି.ସ.) -କାର୍ତ୍ତିକ ମାସ ଶେଷ ହୋଇଗଲା । ସରକାରଙ୍କ ତରଫରୁ ପାଞ୍ଚଟି ହବିଷ୍ଯାଳି ଶିବିରରେ ଭକ୍ତିଭାବ ସହ ଏକ ବିଷାଦ ପରିବେଶ ସୃଷ୍ଟି ହୋଇଥିଲା । ଗୋଟିଏ ପରିବାର ପରି ଆତ୍ମୀୟତା ଭାବ ସୃଷ୍ଟି ହୋଇଥିଲା । ସକାଳୁ ସ୍ନାନ, ସୂର୍ଯ୍ଯ ନମସ୍କାର, ରାଧା ଦାମୋଦରଙ୍କ ପୂଜା, ଧୂପଦୀପ ଅର୍ଘ୍ୟଦାନ ସମୟରେ ଗୋଟିଏ ଭାବରେ ପ୍ରଭୁଙ୍କ କଥା ଚିନ୍ତା କରି ସମୟ ବିତି ଯାଉଥିଲା । ଘରଦ୍ବାର ନାତି ନାତୁଣୀ ଆତ୍ମୀୟସ୍ବଜନ ସବୁ ଭୁଲି ଯାଇଥିଲେ । କାଳିଆ ର କଳାମୁଖ ଦର୍ଶନ ଓ ମହାପ୍ରସାଦ ସେବନରେ ଦିନ ବିତି ଯାଉଥିଲା । ଶିଶୁମାନେ ଯେପରି ଖେଳରେ ମଜିଯାଇ ସମୟ ଜାଣି ପାରନ୍ତି ନାହିଁ । ସେହିପରି ହବିଷ୍ଯାଳୀ ମାନେ ରାଇଦାମୋଦର ପ୍ରେମରେ ମଜି ଯାଇଥିଲେ । ବୟସ ଅଧିକ ହୋଇଥିଲେ ମଧ୍ଯ ଶିବିରରେ ବାଳକୃଷ୍ଣଙ୍କ ପରି ଦହି ବିକ୍ରି କୋଳି ବିକ୍ରି ଅଭିନୟ କରି ସମୟ କଟି ଯାଉଥିଲା । କାର୍ତ୍ତିକ ପୂର୍ଣ୍ଣମୀ ବୁଧବାର ସକାଳୁ ସବୁ କାମ ସରିବା ପରେ ଘରବାହୁଡା ସମୟରେ ଆଖିରୁ ଲୁହ ଝରୁଥିଲା । କିଏ ଗଞ୍ଜାମରୁ ଆସିଥିଲା କିଏ ବାଲେଶ୍ବରରୁ ଆସିଥିଲା ହେଲେ ବିଦାୟ କାଳରେ ଜଣେ ଜଣକୁ କହୁଥିଲା ମାଲୋ ବଞ୍ଚିଥିଲେ ଦେଖା ହେବ ଆର ବରଷକୁ । ଭୋ ଭୋ ହୋଇ କାନ୍ଦ ବୋବାଳିରେ ଜଣେ ଜଣକୁ କୁଣ୍ଡାଇ କାନ୍ଦି କାନ୍ଦି ଏକତ୍ର ହୋଇ ବିଦାୟ ନେଉଥିଲେ । ପ୍ରଶାସନ ପକ୍ଷରୁ ନାମ ଡକାଯିବା ସହ ଆତ୍ମୀୟସ୍ବଜନଙ୍କ ଜିମାରେ ହସ୍ତାନ୍ତର କରାଯାଉଥିଲା । ବିଭିନ୍ନ ଯାନବାହାନରେ ଟ୍ରଙ୍କ, ଗଣ୍ଠିଲି ଓ ପୁରୀରୁ କିଣିଥିବା ଭୋଗ ଓ ପ୍ରସାଦ ଧରି ଘର ବାହୁଡିଥିଲେ । ଏହି ଦୁଃଖଦ ଦୃଶ୍ଯ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ଶେଷରେ ଜୟ ଜଗନ୍ନାଥ କହି ହାତ ଟେକି କହିଥିଲେ କାଳିଆରେ ତୁ ସାହା ଭରଷା ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ