
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ଚିକିତ୍ସା ବିଜ୍ଞାନ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କିମ୍ବା ଏହି କ୍ଷେତ୍ରରେ ଉଦ୍ୟୋଗ ବିକାଶ ଦିଗରେ ଆଗ୍ରହୀ ନବସୃଜନ ଷ୍ଟାର୍ଟଅପ୍ ସଂସ୍ଥାଙ୍କୁ ଏକ ବିସ୍ତୃତ କ୍ଷେତ୍ର ପ୍ରଦାନ କରିବ ଏମ୍ସ ଭୁବନେଶ୍ୱର। ରାଜ୍ୟରେ ପ୍ରଥମ କରି, ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ନବସୃଜନ-ଚାଳିତ ସ୍ୱାସ୍ଥ୍ୟସେବା ସମାଧାନ ପାଇଁ ଚିକିତ୍ସା ଗବେଷଣା, ଜୀବବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବା ପାଇଁ ଏକ କମ୍ପାକ୍ଟ ପ୍ଲାଟଫର୍ମ ପ୍ରତିଷ୍ଠା କରିଛି। ଏହି ପ୍ରୟାସର ଲକ୍ଷ୍ୟ ହେଉଛି ନୂତନ ସ୍ୱାସ୍ଥ୍ୟ-ପ୍ରଯୁକ୍ତି ଚିନ୍ତାଧାରାଗୁଡ଼ିକୁ ବୈଧତା ଏବଂ ବାଣିଜ୍ୟୀକରଣ ପାଇଁ ପ୍ରସ୍ତୁତ ଉତ୍ପାଦରେ ପରିଣତ କରିବା।
ଏହି ପ୍ରୟାସର ଏକ ଅଂଶ ଭାବରେ ଏମ୍ସ ଭୁବନେଶ୍ୱରରେ ୩୩ଟି ଷ୍ଟାର୍ଟ-ଅପ୍ ଏବଂ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଉତ୍ପାଦ/ମଡେଲ ପ୍ରଦର୍ଶିତ କରାଯାଇଥିଲା। ଏଠାରେ ବିଶେଷଜ୍ଞମାନେ ଉତ୍ପାଦ ବୈଧତା ଏବଂ ବଜାର ପ୍ରସ୍ତୁତି ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ, ଯାହା ଏକ ଦୃଢ଼ ସ୍ୱାସ୍ଥ୍ୟସେବା ନବସୃଜନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଏବଂ ଆଇସିଏମ୍ଆର ମହାନିର୍ଦ୍ଦେଶକ ଡ. ରାଜୀବ ବହଲ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ସ୍ୱାସ୍ଥ୍ୟସେବା, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗକୁ ଏକତ୍ରିତ କରି ଏହି ପ୍ରକ୍ରିୟା ବିକଶିତ ବିକଶିତ ଭାରତ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେହିପରି ଏହା ଯୁବ ଉଦ୍ଭାବକମାନଙ୍କୁ ଚିନ୍ତାଧାରାକୁ ପ୍ରଭାବଶାଳୀ ଉତ୍ପାଦରେ ପରିଣତ କରିବାକୁ ଉତ୍ସାହିତ କରିବ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି ଅବସରରେ କହିଛନ୍ତି ଯେ, ଏମ୍ସ ଭୁବନେଶ୍ୱର ଆଇଆଇଟି ଭୁବନେଶ୍ୱର, ବିସିକେଆଇସି ଏବଂ ଆଇଏଲ୍ଏସ ଭଳି ପ୍ରମୁଖ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନଗୁଡ଼ିକର ସହଯୋଗରେ ଆନ୍ତଃଶାଖାଗତ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ। ଏହି ପ୍ରତିଷ୍ଠାନ ଏହି ଅଞ୍ଚଳରେ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ପାଇଁ ଏକ ସମନ୍ୱିତ ନବସୃଜନ କେନ୍ଦ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।
ଏଥିସହିତ ଏମ୍ସ ଭୁବନେଶ୍ୱର ଯୁବ ଗବେଷକଙ୍କ ପାଇଁ ସମନ୍ୱିତ ପିଏଚ୍ଡି କାର୍ଯ୍ୟକ୍ରମ ପ୍ରଚଳନ କରିବା ପାଇଁ ଅଷ୍ଟ୍ରେଲିଆର ପଶ୍ଚିମ ସିଡ୍ନୀ ବିଶ୍ୱବିଦ୍ୟାଳୟ ସମେତ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ବହୁ-ଶାଖାଗତ ଗବେଷଣା ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠାନ ଏକ କେନ୍ଦ୍ରୀୟ ଗବେଷଣା ଏବଂ ଦକ୍ଷତା ପ୍ରୟୋଗଶାଳା ମଧ୍ୟ ପ୍ରତିଷ୍ଠା କରିଛି। ଯାହା ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ନିଦାନ, ରୋଗ ପୂର୍ବାନୁମାନ ମଡେଲ ଏବଂ ଏଆଇ-ଆଧାରିତ ସ୍ୱାସ୍ଥ୍ୟସେବା ଉପକରଣରେ ନବସୃଜନକୁ ଆଗକୁ ବଢ଼ାଇବା ପାଇଁ ଏକ ବାୟୋ-ଇନ୍କ୍ୟୁବେସନ୍ କେନ୍ଦ୍ର ବିକଶିତ କରିବା ପାଇଁ ଯୋଜନା ଚାଲିଥିବା, ଡ. ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି।
ଗବେଷଣା ଏବଂ ନବସୃଜନ କାର୍ଯ୍ୟକଳାପର ପ୍ରଗତିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ, ଏମ୍ସ ଭୁବନେଶ୍ୱର ଏହାର ତୃତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ଦ୍ୱିତୀୟ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ ୨୦୨୫ ପାଳନ କରିଛି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ଚିକିତ୍ସା ନବସୃଜନ: ଆତ୍ମନିର୍ଭର ଭାରତ, ବିକଶିତ ଭାରତ ପାଇଁ ସମୟର ଆବଶ୍ୟକତା।
ଆଇସିଏମ୍ଆର ଡିଜି ଡ. ରାଜୀବ ବହଲ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ବିକେସିକେଆଇସି ଅଧ୍ୟକ୍ଷ ଏବଂ କିଟ୍-ଟିବିଆଇ ସିଇଓ ଡ. ମୃତ୍ୟୁଞ୍ଜୟ ସୁଆର, ଏମ୍ସ ଡିନ୍ (ଗବେଷଣା) ଡ. ସତ୍ୟଜିତ ମିଶ୍ର ଏବଂ ଆସୋସିଏଟ୍ ଡିନ୍ (ଗବେଷଣା) ଡ. ଭାଗୀରଥି ଦ୍ୱିବେଦୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏମ୍ସ ଭୁବନେଶ୍ୱର ସମେତ ଆଇଆଇଟି ଖଡଗପୁର, ଆଇଆଇଟି ଭୁବନେଶ୍ୱର, ଭିସୁଟ୍ ବୁର୍ଲା, ନାଇଜର୍ ଭୁବନେଶ୍ୱର, ଆଇଜର୍ ବ୍ରହ୍ମପୁର, ଆଇଏଲ୍ଏସ ଭୁବନେଶ୍ୱର, କିମ୍ସ ଭୁବନେଶ୍ୱର, ଏଆଇଜି ହସ୍ପିଟାଲ ହାଇଦ୍ରାବାଦ ଏବଂ ଟିଏମସିଏଚ୍ ବାରାଣସୀ ଭଳି ପ୍ରମୁଖ ପ୍ରତିଷ୍ଠାନର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ୧୪ଟି ଷ୍ଟାର୍ଟଅପ୍ ଫାର୍ମ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।
ଜାତୀୟ ତଥା ଆନ୍ତର୍ଜାତୀୟ ଆର୍ôଥକ ଏଜେନ୍ସିଗୁଡିକର ଅନୁସନ୍ଧାନ ଅନୁଦାନରେ ପ୍ରାୟ ୨୫ କୋଟି ଏବଂ ପ୍ରସିଦ୍ଧ ପତ୍ରିକାରେ ଦେଢ଼ ହଜାରରୁ ଅଧିକ ପ୍ରକାଶନ କରିବାର ଏକ ପ୍ରଭାବଶାଳୀ ରେକର୍ଡ ସହିତ ଏମ୍ସ ଭୁବନେଶ୍ୱର ଡାକ୍ତରୀ ଗବେଷଣାକୁ ଆଗକୁ ନେବାକୁ ଅଙ୍ଗୀକାରବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା