ପ୍ରଚାରର ଶେଷ ପର୍ଯ୍ୟାୟରେ ଉତ୍କଣ୍ଠା ବଢ଼ାଉଛି ମତଦାତା ଙ୍କ ଆଚରଣ
ପ୍ରଚାରର ଶେଷ ପର୍ଯ୍ୟାୟରେ ଉତ୍କଣ୍ଠା ବଢ଼ାଉଛି ମତଦାତା ଙ୍କ ଆଚରଣ
ପ୍ରଚାରର ଶେଷ ପର୍ଯ୍ୟାୟରେ ଉତ୍କଣ୍ଠା ବଢ଼ାଉଛି ମତଦାତା ଙ୍କ ଆଚରଣ


Odia, 8 ନଭେମ୍ବର (ହି.ସ.) ଆଉ ମାତ୍ର ଦିନ ଦୁଇଟା ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆସନ୍ତା ୧୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏହି ଉପନିର୍ବାଚନର ଫଳାଫଳକୁ ନେଇ ଏବେ ଠାରୁ ତିନି ପ୍ରମୁଖ ରାଜନୈତିକ ଦଳ ଅସ୍ଥିର ହୋଇଉଠିଛନ୍ତି । ଯଦିଓ ଗଣମାଧ୍ୟମ ସମ୍ମୁଖରେ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ବିଜୟ ନେଇ ଜୋରଦାର ମୁହଁ ଫୁଟାଣୀ ମାରୁଛନ୍ତି, ମାତ୍ର ବାସ୍ତବତାର ନଗ୍ନ ଚିତ୍ର କିଛି ଭିନ୍ନ। ଏଠାରେ ବିଜୟ ପାଇଁ ରାଜ୍ଯର ଶାସକ ଦଳ ବିଜେପି, ମୁଖ୍ୟ ବିରୋଧୀ ଦଳ ବିଜେଡି ଏବଂ ୨୦୦୦ ମସିହାରୁ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ କଂଗ୍ରେସ ସବୁ କିଛି ଏହି ନିର୍ବାଚନ ବାଜିରେ ଲଗାଇ ଦେଇଛନ୍ତି। ତେବେ ଭୋଟରଙ୍କ ନୀରବତା, ନୀରବ ଭୋଟରଙ୍କ ମାନସିକତା ନୂଆପଡ଼ା ସମରସଜ୍ଜା ଦାୟିତ୍ବରେ ଥିବା ତୁଙ୍ଗ ନେତୃବୃନ୍ଦଙ୍କୁ ଦ୍ବନ୍ଦ ଓ ଅନିଶ୍ଚିତତା ମଧ୍ୟରେ ରଖିଛି। ଆଗାମୀ ୩୬ ଘଣ୍ଟା ଅନ୍ଧାରୀ ବିଜେ ପାଇଁ ରାଜନେତା ଉପଯୋଗ କରନ୍ତି କିଛି ଅଦୃଶ୍ୟ ଦାଓପେଞ୍ଚ। ଏଥିରେ ଯେଉଁ ଦଳ ସଫଳ ଉପଯୋଗ କରିପାରିଲା ସିଏ ଏଠାରୁ ବାଜି ମାରିନେବା ସମ୍ଭାବନା ଅଧିକ। ବିଜୁ ଜନତା ଦଳର ସ୍ବଚ୍ଛ ଓ ନିଷ୍କଳଙ୍କ ନେତା ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ୨୫ ବର୍ଷ ପୂର୍ବେ ତାଙ୍କର ପିତା, ଓଡ଼ିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ଦୀର୍ଘ ୨୪ ବର୍ଷ ୩ ମାସ ୭ ଦିନ ମୁଖ୍ୟମନ୍ତ୍ରୀ ରହି ଆର୍ଷଣୀୟ ରେକର୍ଡ ବି ପ୍ରତିଷ୍ଠା କରିଥିଲେ । ନବୀନ ମୁଖ୍ୟମନ୍ତ୍ରୀ ଋପେ ପ୍ରଥମ ଉପନିର୍ବାଚନର ସାମ୍ନା କରିଥିଲେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଧାନ ସଭା କ୍ଷେତ୍ରରେ। ୨୦୦୧ ମସିହା ଅର୍ଥାତ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବାର ପ୍ରାୟ ଦେଢବର୍ଷ ମଧ୍ୟରେ ଏହି ଉପନିର୍ବାଚନ ହୋଇଥିଲା ଏବଂ ବିଜେଡି ପ୍ରାର୍ଥୀ ସନାତନ ବିଶି ରେଢ଼ାଖୋଲରୁ ଏହି ଉପନିର୍ବାଚନରେ ବିଜୟୀ ହୋଇଥିଲେ। ଯଦିଓ ସେତେବେଳେ ସମ୍ବଲପୁର ଲୋକସଭା ସଦସ୍ଯ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦଳରେ ଦବଦବା ଥିଲା ତଥାପି ତାଙ୍କୁ ଅଣଦେଖା କରି ନବୀନ ସନାତନ ବିଶିଙ୍କୁ ପ୍ରାର୍ଥୀ କରିଥିଲେ ଏବଂ ଏହି ଉପନିର୍ବାଚନରେ ପ୍ରସନ୍ନ ବାବୁଙ୍କୁ ରାଡାରରେ ରଖିଥିଲେ। ଏବେ ସମୟର ବଦଳିଛି, ପ୍ରସନ୍ନ ବାବୁ ଯଦିଓ ନୂଆପଡ଼ା ଉପନିର୍ବାଚନରେ ବିଜେଡ଼ି ଷ୍ଟିଅରିଂ କମିଟି ଅଧ୍ୟକ୍ଷ ରହିଛନ୍ତି, ମାତ୍ର ବିଜେଡ଼ିର ନୂଆପଡ଼ା ଉପନିର୍ବାଚନ ପରିଚାଳନା ଦାୟିତ୍ଵ ରହିଛି ଉପକୂଳିଆ ପାଣ୍ଡିଆନପନ୍ଥୀ କିଛି ପ୍ରମୁଖ ନେତାଙ୍କ ଉପରେ । ତଥାପି ପ୍ରସନ୍ନ ବାବୁ ୨୦୦୦ ଭଳି ଏବେବି ପାଣ୍ଡିଆନଙ୍କ ଅଦୃଶ୍ଯ ରାଡାରରେ ନୂଆପଡ଼ା ଉପନିର୍ବାଚନରେ ରହିଛନ୍ତି। ଯଦିଓ ପ୍ରସନ୍ନ ବାବୁଙ୍କୁ ଗୃହ ଜିଲ୍ଲା ବରଗଡ଼ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ନୂଆପଡ଼ାରୁ ଏବେ ପ୍ରାର୍ଥୀ କରାଯାଇଛି ତେବେ ସ୍ନେହାଙ୍ଗିନୀ, ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ପ୍ରାକ୍ତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ସନାତନ ବିଶି ଥିଲେ ପ୍ଯାରୀ ସ୍କୁଲର ଛାତ୍ର। ପ୍ରସନ୍ନ ବାବୁଙ୍କୁ ଅପଦସ୍ତ କରିବା ପାଇଁ ପ୍ଯାରୀ-ନବୀନ ଏମାନଙ୍କୁ ବ୍ୟବହାର କରୁଥିଲେ। କିନ୍ତୁ ସେ ଯାହାବି ହେଉ ରେଢ଼ାଖୋଲ ଉପ ନିର୍ବାଚନ ଜିଣିବା ପରେ ନବୀନ ବାବୁ ଦୀର୍ଘ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ମାତ୍ର ତିନୋଟି ଉପନିର୍ବାଚନରେ ପରାଜୟର ସ୍ବାଦ ଚାକିରିରେ। ୨୦୦୬ ସୁନ୍ଦରଗଡ଼ ଜିଲ୍ଲାର ତଲସରା, ୨୦୦୮ରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଏବଂ ୨୦୨୩ରେ ଭଦ୍ରକ ଜିଲ୍ଲାର ଧାମନଗର। ନବୀନ ବାବୁଙ୍କ ପରି ବିଶୁଦ୍ଧ ବିଜେପି ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ କ୍ଷମତାଦଖଲର ଠିକ ଦେଢବର୍ଷ ପରେ ନୂଆପଡ଼ା ଉପନିର୍ବାଚନର ସମ୍ମୁଖୀନ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ପାଇଁ ନୂଆପଡ଼ାର ଜୟ- ପରାଜୟ କ୍ଷମତା ରାଜନୀତିର ଅଙ୍କ ଆଦୌ ବିଗାଡିବ ନାହିଁ ତଥାପି ଏହି ଉପନିର୍ବାଚନର ଫଳାଫଳ ମୋହନ ସରକାରର କାର୍ଯ୍ୟ ଶୈଳୀର ମାପକାଠି ହେବ। ଏହି ଉପନିର୍ବାଚନର ଫଳ ଏକ ନେରେଟିଭ, ଟ୍ରେଣ୍ଡ ତିଆରି କରିବ। ତେଣୁ କଳେ, ବଳେ, କୌଶଳେ ଏଠାକାର ଜନମତକୁ ନିଜ ପକ୍ଷକୁ ନେବାକୁ ଶାସକ ଦଳ ସବୁ ବାଜିରେ ଲଗାଇ ଦେଇଛି। ବିଜେପି ନିଜ କେଡରରୁ କାହାରିକୁ ପ୍ରାର୍ଥୀ ନ କରି ପରଲୋକଗତ ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ସୁପୁତ୍ର ଜୟ ଢୋଲକିଆ ଙ୍କୁ ଦଳୀୟ ପ୍ରାର୍ଥୀ କରି ନବୀନ - ପାଣ୍ଡିଆନଙ୍କୁ ଚକମା ଦେଇଛି। ନବୀନ ଏହାକୁ ପ୍ରାର୍ଥୀଚୋରି ବୋଲି ଅଭିହିତ କରିଛନ୍ତି। ମିଡନାଇଟ ଅପରେଶନ ପରେ ଦ୍ବିତୀୟ ଥର ବେଇମାନ ଶବ୍ଦ ବ୍ୟବହାର କରିଛନ୍ତି। ଏହି ଚାରୋଟି ଅକ୍ଷର ବିଶିଷ୍ଟ ଶବ୍ଦ ନୂଆପଡ଼ା ରେ ହଟଚମଟ ତିଆରି କରିଛି। ବାସ୍ତବରେ କିଏ ବେଇମାନ ୧୧ ତାରିଖରେ ଭୋଟର ସ୍ଥିର କରିବେ। ସେହିପରି ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ଏରୋଡ୍ରାମ ଫଟୋ ଭାଇରାଲ ହେବାପରେ ଏକ ନୂତନ ବିତର୍କର ସୂତ୍ରପାତ ହୋଇଛି। ବିଜେଡିକୁ ନିଜର ସାମାଜିକ ଗଣମାଧ୍ୟମ ପୋଷ୍ଟରେ କ୍ଷତବିକ୍ଷତ କରୁଥିବା ଦଳର ବହିଷ୍କୃତ ନେତ୍ରୀ ଶ୍ରୀମୟୀ ମିଶ୍ର ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଘୋଷାଡି ଆଣିବା ପ୍ରସଙ୍ଗକୁ ପୋଷ୍ଟ କରି ବିଜେଡିର ବଡ଼ପଣ୍ଡା ମାନଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି। ନବୀନ ବାବୁଙ୍କ ଯଦି ପୁତ୍ର କନ୍ଯା ଥାଆନ୍ତେ ଏଭଳି ଘୋଷାଡି ଆଣିବାକୁ ଅନୁମତି ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି। ଏହା ଅମାନବୀୟ ଏବଂ ଓଡ଼ିଶା ରାଜନୀତିରେ ବିଜେଡିକୁ ପ୍ରାସଙ୍ଗିକ କରି ରଖିବା ପାଇଁ ଭଗ୍ନ ସ୍ବାସ୍ଥ୍ୟ ସତ୍ତ୍ୱେ ନବୀନ ବାବୁଙ୍କୁ କେବଳ ଭୋଟ ପାଇଁ ବ୍ୟବହାର କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ନବୀନଙ୍କ ପ୍ରଚାର ବିଜେଡି ପାଇଁ ଡିଭିଡେଣ୍ଡ ଆଣିଦେବ ନାଁ ଆତ୍ମଘାତୀ ହେବ ତାହା ୧୪ ତାରିଖରେ ଜଣାପଡ଼ିବ। ବିଜେପି ଓ ମୋହନ ମନମୋହନଙ୍କ ପାଇଁ ନୂଆପଡ଼ା ରଣ ମଧ୍ଯ ଏକ ବିରାଟ ଆହ୍ବାନ ହୋଇ ଉଭା ହୋଇଛି। ଜୟ ଢୋଲକିଆ ପ୍ରାର୍ଥୀ ହେବାପରେ ବିଜେପିର ଟିକେଟ ଦାବିଦାର ଭେଟେରାନ ବସନ୍ତ ପଣ୍ଡା, ତାଙ୍କ ପୁତ୍ର ଅଭିନନ୍ଦନ, ବରୀଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ ଓ ତାଙ୍କ ସମର୍ଥକମାନଙ୍କୁ ମେନେଜ କରିବା ଦୁରୂହ ବ୍ୟାପାର ହୋଇଛି। ଯଦିଓ ତୁଙ୍ଗ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସହ ନିର୍ବାଚନ ପ୍ରଚାର ଅଭିଯାନରେ ସାମିଲ ହେଉଛନ୍ତି ତାଙ୍କ ଅନୁଗତ ସମର୍ଥକଙ୍କ ଭୂମିକା ନେଇ ଦଳୀୟ ନେତୃବର୍ଗ କିଛି ଠଉରେଇ ପାରୁ ନାହାନ୍ତି। ଜୟ ମାର୍କା ନୂଆପଡ଼ାର ନୂଆ ବିଜେପି ଓ କେଡରବେସ ପୁରୂଣା ବିଜେପି ମଧ୍ୟରେ ଶେଷ ପର୍ଯ୍ୟନ୍ତ ଶୀତଳଯୁଦ୍ଧ ଲାଗି ରହିଛି। ଏହା ମୋହନ ମନମୋହନ ଯୋଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅତୀତରେ ଅନୁଷ୍ଠିତ ଉପନିର୍ବାଚନ ମାନଙ୍କରେ ସର୍ବତ୍ର ଦ୍ବିମୁଖି ଲଢେ଼ଇ ହେଉଥିଲା। କିନ୍ତୁ ନୂଆପଡ଼ାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏଠାରେ ଶାସକ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ମୁଖ୍ଯ ବିରୋଧୀ ଦଳ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ମଧ୍ୟରେ ହେଉଛି। କଂଗ୍ରେସ ପ୍ରାର୍ଥୀ ୨୦୨୪ ବିଧାନସଭା ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀହୋଇ ପ୍ରାୟ ୫୧ ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ସେ ନିଜକୁ ମାଟିର ପୁଅ ତଥା ଆଦିବାସୀମାନଙ୍କ ସୁଖଦୁଃଖର ସାଥୀ ବୋଲି ଦାବି କରି ଉପନିର୍ବାଚନ ମହାସମରରେ କଡ଼ା ଟକ୍କର ଦେଉଛନ୍ତି। ତେବେ ନୂଆପଡ଼ା ଆଦିବାସୀ କଲ୍ୟାଣ ମହାସଂଘର ବିଭାଜନ ତାଙ୍କୁ ଅଡ଼ୁଆରେ ପକାଇଛି।

ମୁଖ୍ୟ ବିରୋଧୀ ଦଳ ବିଜେଡି ଭୋଟ ଯୁଦ୍ଧର ପ୍ରାରମ୍ଭରୁ ବେକଫୁଟରେ ରହିଥିଲା। ପରଲୋକଗତ ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପୁତ୍ରଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ସ୍ଥିର କରିଥିଲା। କିନ୍ତୁ ସମସ୍ତଙ୍କୁ ହତଚକିତ କରି ସେ ବିଜେପି ପ୍ରାର୍ଥୀ ହେବାପରେ ବିଜେଡିର ପାଦତଳୁ ମାଟି ଖସି ଯାଇଥିଲା। ଶେଷରେ ବିଜେଡି ବରଗଡ ଜିଲ୍ଲା ଅତାବିରାରୁ ଏହି ନିର୍ବାଚନ ମଣ୍ଡଳୀ ଗଠନ ହେବା ପରେ ଠାରୁ ଲଗାତାର ବିଜେଡି ପ୍ରାର୍ଥିନୀ ହେଉଥିବା ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ନୂଆପଡ଼ାରୁ ପ୍ରାର୍ଥୀ କରିଥିଲା। ଏହି ବାହ୍ଯ ପ୍ରାର୍ଥୀ ଅପବାଦରୁ ମୁଖ୍ୟ ବିରୋଧୀ ଦଳ ମୁକୁଳି ପାରି ନାହିଁ। ଏଥିପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ସେହିପରି ନୂଆପଡ଼ା ଉପନିର୍ବାଚନରେ ବିଜେଡ଼ି ଷ୍ଟିଅରିଂ କମିଟି ଅଧ୍ୟକ୍ଷ ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅତୀତରେ ପ୍ରାଥମିକ ପର୍ଯ୍ୟାୟରେ ପ୍ଯାରୀ ଓ ପରବର୍ତ୍ତୀ କାଳରେ ପାଣ୍ଡିଆନପନ୍ଥୀ ନେତାଙ୍କ ଦ୍ବାରା ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଯଦିଓ ସେ ବିଜୁ ଜନତା ଦଳର ଅନ୍ୟତମ ବିନ୍ଧାଣୀ ନବୀନ ବି ତାଙ୍କୁ ଅତୀତରେ ଏମାନଙ୍କ ପ୍ରରୋଚନାରେ ଅଣଦେଖା କରିଛନ୍ତି। ତେଣୁ ନୂଆପଡ଼ାରେ ପ୍ରସନ୍ନଙ୍କ ଭୂମିକା ଶେଷ ପର୍ଯ୍ୟାୟରେ କଣ ହେବ ତାହା ସମୟ କହିବ। ସ୍ବର୍ଗତ ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପରିବାରକୁ ନବୀନ ପରୋକ୍ଷରେ ବେଇମାନ ବୋଲି କହିଥିଲେ ଏବଂ ଏହି ଶବ୍ଦ ରାଜନୈତିକ ସୁନାମି ସୃଷ୍ଟି କରିଥିବା ବେଳେ ପ୍ରସନ୍ନ ବାବୁ ନବୀନଙ୍କ ଉପସ୍ଥିତିରେ ଗତକାଲି ବିଜେଡିର ନିର୍ବାଚନୀ ସଭାରେ ରାଜୁ ଭାଇ ଢୋଲକିଆଙ୍କ ପରିବାର ସଦସ୍ଯ ସଂଖ୍ୟା ୫ ଲକ୍ଷ ବୋଲି କହିଥିଲେ। ଅର୍ଥାତ୍ ନବୀନ ପରୋକ୍ଷରେ ସମଗ୍ର ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ବେଇମାନ ଆଖ୍ୟାୟିତ କରିଥିବା ବାର୍ତ୍ତା ଦେଇଥିଲେ। ତେଣୁ ଏଭଳି ସ୍ଥିତିରେ ନୂଆପଡ଼ାରେ ଏଘର ମାଉସୀ ସେ ଘର ପିଉସୀ ସାଜୁଥିବା ନେତାଙ୍କ ଭୂମିକା ନିର୍ଣ୍ଣାୟକ ହେବ। ନବୀନ ବାବୁ ପ୍ରଥମ ରେଢ଼ାଖୋଲ ଉପନିର୍ବାଚନ ଜିଣି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ, ଦେଖାଯାଉ ନୂଆପଡ଼ାର ଉପନିର୍ବାଚନ ଫଳାଫଳ ମୋହନ- ମନମୋହନ ଯୋଡିଙ୍କୁ ରାଜନୀତିର କେଉଁ ସୋପାନରେ ନେଇ ଥୋଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande