ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟର ବିଚିତ୍ର ନୀତି, ଚାକିରୀ ପାଇଁ ୧୮ ବର୍ଷର ସଂଘର୍ଷ, ସନାତନଙ୍କ ବୟାନ ରେକର୍ଡ କଲେ ପୂର୍ବାଂଚଳ ଡେପୁଟି କମିଶନର, ନ୍ୟାୟ ନମିଳିଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୂତି ଚେତାବନୀ
ଭଦ୍ରକ, ୮ ନଭେମ୍ବର (ହି.ସ.) - ମାସେ ନୁହେଁ କି ବର୍ଷେ ନୁହେଁ। ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଚାକିରୀଟିଏ ପାଇଁ ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ପୂର୍ବାଂଚଳ ଡେପୁଟି କମିଶନର ଆଶାୟୀ ସନାତନଙ୍କ ବୟାନ ରେକର୍ଡ କରିଛନ୍ତି। ତେବେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ
BHADRAK RTO OFFICE RA BICHITRA NITI-1


ଭଦ୍ରକ, ୮ ନଭେମ୍ବର (ହି.ସ.) - ମାସେ ନୁହେଁ କି ବର୍ଷେ ନୁହେଁ। ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଚାକିରୀଟିଏ ପାଇଁ ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ପୂର୍ବାଂଚଳ ଡେପୁଟି କମିଶନର ଆଶାୟୀ ସନାତନଙ୍କ ବୟାନ ରେକର୍ଡ କରିଛନ୍ତି। ତେବେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଆକୁଳ ନିବେଦନ କରି ନ୍ୟାୟ ପାଇଁ ଦୀର୍ଘ ବର୍ଷ ନିର୍ଯ୍ୟାତିତ ହୋଇଥିବା ସନାତନକୁ ତାର ହକ୍ ଦାବି ନମିଳିଲେ ସେ ବାଧ୍ୟହୋଇ ଶେଷରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଦେବାର ଚେତାବନୀ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବାଂଚଳ ଡେପୁଟି କମିଶନରଙ୍କ ନିକଟରେ ବୟାନ ରେକର୍ଡ ହୋଇଥିବା ତଥ୍ୟ ଅନୁସାରେ ଏହି ଜିଲାର ଧାମନଗର ବ୍ଲକ୍‌ର ଖପରପଦା ପଂଚାୟତ ଲେଙ୍କାସାହି ଗ୍ରାମର ସନାତନ ଦାସ ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟ ନୂତନ ଭାବେ ୨୦୦୨ ମସିହାରେ ପ୍ରତିଷ୍ଠା ହେବା ସମୟରୁ ଲୋକଙ୍କୁ ସେଠାରେ ବିଭିନ୍ନ ଗାଡି କାଗଜପତ୍ର ସାଙ୍ଗକୁ ବେସରକାରୀ ସ୍ତରରେ ସହଯୋଗ କରିଆସୁଥିଲେ। ପରର୍ବତୀ ସମୟରେ ଏହି କାର୍ଯ୍ୟାଳୟରେ ପିଅନ ପଦବୀର ଆବଶ୍ୟକତା ପଡିବାରୁ ସେ ସେଥିପାଇଁ ଆବେଦନ କରିଥିଲେ। ଯେଉଁ ଆବେଦନ ପତ୍ର ୨୦୦୬ ମସିହାରେ ରାଜ୍ୟ ପରିବହନ ଆୟୁକ୍ତଙ୍କ ନିକଟରେ ପହଂଚିଥିଲା। କିନ୍ତୁ ସେ କୌଣସି ସୁଫଳ ନପାଇବାରୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବହୁବାର ଆବେଦନ କରିଥିଲେ। କିନ୍ତୁ ଜିଲାପାଳ ବଦଳିବା ମଧ୍ୟରେ ୨୦୧୫ ମସିହାରେ ତତ୍‌କାଳୀନ ଜିଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର ପରିବହନ କାର୍ଯ୍ୟାଳୟରେ ଯଦି ପିଅନର ଆବଶ୍ୟକ ଥାଏ, ତେବେ ଶ୍ରୀ ଦାସଙ୍କ କଥା ବିଚାରକୁ ନେଇ ନିଯୁକ୍ତି ଦେବାକୁ ଚିଠି କରିଥିଲେ। ଯାହାର ଫଳାଫଳ ଶୂନ ହୋଇଥିଲା। ପରନ୍ତୁ ସେତେବେଳର ପଦାଧିକାରୀ କେତେକ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରିୟାପ୍ରୀତି ତୋଷଣରେ ସେଲୁନ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଟ୍ରକ୍ ଡ୍ରାଇଭର, ବସ୍ କଣ୍ଡକ୍ଟର ଓ କିଛି ସ୍ୱେଚ୍ଛାସେବୀ ସଂଗଠନର କର୍ମଚାରୀଙ୍କୁ ଗ୍ରୁପ୍ ୫, ଏନଏମ୍ ଏଂଟର ପ୍ରାଇଜର୍ସ ଓ ଆରଫିନ୍ ନାମକ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତି ଦେଇଥିଲେ। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ କେତେକ ଛଟେଇ ହୋଇଥିବାବେଳେ ଆଉ କେତେକ ଅଦଳ ବଦଳ ଭାବେ ଦୈନିକ ମଜୁରୀ ହିସାବରେ କାର୍ଯ୍ୟ କରୁଛନ୍ତି। ତେବେ ସବୁଥିରୁ ବଂଚିତ ଆଶାୟୀ ସନାତନର ଅଭିଯୋଗ ମୂଳେ ତତ୍‌କାଳୀନ ଜିଲାପାଳଙ୍କ ଆଦେଶ କାର୍ଯ୍ୟାଳୟର ନାଲିଫିତା ତଳେ ଚାପିହୋଇ ରହିଗଲା। କାରଣ ପରିବହନ କାର୍ଯ୍ୟାଳୟର ଉଚ୍ଚ ଅଧିକାରୀମାନେ ପରବର୍ତୀ ଜିଲାପାଳମାନଙ୍କୁ ସନାତନ ସଂପର୍କରେ ମିଥ୍ୟା ତଥ୍ୟ ଦେଇ ଅଣଦେଖା କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ପ୍ରଶ୍ନର ଉତରରେ ସେମାନେ ତାଙ୍କୁ ସଂପୂର୍ଣ୍ଣ ଭାବେ ଭ୍ରମିତ କରିଥିଲେ। ଫଳରେ ଦୀର୍ଘବର୍ଷ ଧରି ଚାକିରୀଟିଏ ପାଇବା ଆଶାରେ ଅପେକ୍ଷା କରିଥିବା ସନାତନ ପାଗଳ ପ୍ରାୟ ହୋଇ ଗତ ଜୁନ୍ ୨୩ ତାରିଖ ଦିନ ଜିଲା ପରିବହନ କାର୍ଯ୍ୟାଳୟକୁ ନିଜ ନିଯୁକ୍ତି ବାବଦରେ ବୁଝିବାକୁ ଯାଇ କେତେକ ଅସ୍ଥାୟୀ କର୍ମଚାରୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଯାହାକୁ ନେଇ ଭଦ୍ରକ ଗ୍ରାମାଂଚଳ ଥାନାରେ ସନାତନ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ମାମଲା ଦାଏର କରିବାରେ ବିଳମ୍ବ ଦେଖାଇବାରୁ ବାଧ୍ୟହୋଇ ସନାତନ ପୁନର୍ବାର ବର୍ତମାନର ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ଦ୍ୱାରସ୍ତ ହେବା ପରେ ସେପ୍ଟେମ୍ବର ୧୩ ତାରିଖ କେଶ୍ ନଂ ୫୩୭/୨୫ ମୂଳେ ମାମଲା ରୁଜୁ କରିଛି ଗ୍ରାମାଂଚଳ ଥାନା। ଏପରିକି ପୁଲିସ୍ ପରିବହନ କାର୍ଯ୍ୟାଳୟକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସନାତନ କରିଥିବା ଅଭିଯୋଗ ମୂଳେ ବାଲେଶ୍ୱର ପୂର୍ବାଂଚଳ ଡେପୁଟି କମିଶନର ରଶ୍ମି ରଞ୍ଜିତ ଦଳବେହେରା ଗତ ୨୯ ତାରିଖରେ ସନାତନଙ୍କୁ ଡକାଇ ତାଙ୍କର ବୟାନ ରେକର୍ଡ ସହ ସମସ୍ତ କାଗଜପତ୍ର ଯାଂଚ କରି ସବିଶେଷ ସୂଚନା ତାଙ୍କୁ ଜଣାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି। କିନ୍ତୁ ଫଳାଫଳ ଯାହା ହେଉନା କାହିଁକି ସନାତନକୁ ତାଙ୍କର ପୂର୍ବ ଆବେଦନ ମୂଳେ ଚାକିରୀ ମିଳିବା ସହ ଆକ୍ରମଣ କରିଥିବା ଠିକା କର୍ମଚାରୀଙ୍କୁ ବହିଷ୍କାର ନକଲେ ସେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande