
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଓ ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ଭୟଭୀତ ହୋଇ ଆଜି ମୁଖ୍ୟମନ୍ତ୍ରୀ ନୂଆପଡା ଯାଇଛନ୍ତି। ହେଲେ ଏହି ଗସ୍ତ ପାଇଁ ଖରିଆର ରୋଡ଼କୁ କାହିଁକି ବ୍ଲକ କରାଗଲା ବୋଲି ବିଜେଡି ପ୍ରଶ୍ନ କରିଛି। ନୂଆପଡାରେ ଜିଲ୍ଲାପାଳ, ଏସପି ଓ ଆଇଜି ହିମାଂଶୁ ଲାଲ ସରକାରୀ ଦଳ ବିଜେପିର ଗୁମାସ୍ତା ସାଜିଥିବା ନେଇ ଅଭିଯୋଗ କରିଛି ବିଜେଡି। ଗତକାଲି ମଧ୍ୟ ଜାଣିଶୁଣି ବିନା କାରଣରେ ବିମାନ ବନ୍ଦରରେ ନବୀନ ପଟ୍ଟନାୟକଙ୍କୁ ବ୍ଲକ କରାଗଲା।ଯେଉଁଥି ପାଇଁ ତାଙ୍କ ଗୋଡ଼ରେ ଆଘାତ ଲାଗିଲା। ତାଙ୍କ ସଭାରୁ ଲୋକ ପଳାନ୍ତୁ ବୋଲି ଏହି ଚକ୍ରାନ୍ତ କରାଯାଇଥିଲା। ହେଲେ ନୂଆପଡାବାସୀ ନବୀନଙ୍କୁ ନିଜ ଭଲ ପାଇବା ଅଜାଡି ଦେଇଥିଲେ। ସେହିପରି ଗଞ୍ଜାମର ଏକ ସ୍କୁଲ କିରାଣୀ ରଂଜିତ ପାତ୍ର ନୂଆପଡା ଯାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି। ରଂଜିତ ଜଣେ ବିଜେପି ବିଧାୟକଙ୍କ ସମ୍ପର୍କୀୟ ବୋଲି ଶୁଣିବାକୁ ମିଳିଛି । ନିଜ ପରିବାର ଲୋକ ଓ ସରକାରୀ କଳକୁ ଲଗାଇ ଭୋଟ ହାତେଇବାକୁ ବିଜେପି ଚେଷ୍ଟା କରୁଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସରକାରୀ ଅଧିକାରୀ ଯେପରି ବିଜେପି ନେତାଙ୍କ ସହ ଏହି ଉପନିର୍ବାଚନ ସମୟରେ ନ ମିଶନ୍ତି, ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା