
କେନ୍ଦୁଝର, ୮ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ତଥା ରାଜ୍ୟର ଜଣେ ସୁପରିଚିତ କବି, ସାହିତ୍ୟିକ, ଦୃଢ଼ ସଂଗଠକ ତଥା ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସଜଫୁଲର ପ୍ରତିଷ୍ଠାତା ସମ୍ପାଦକ ବାବୁଲାଲ ପଲେଇଙ୍କୁ ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍ ଅନ୍ତର୍ଗତ ଗମ୍ଭ ଗମ୍ଭାରିଆ ଗ୍ରାମସୁ କନକଚମ୍ପା ଫାଉଣ୍ଡେସନ ତରଫରୁ ଘନଶ୍ୟାମ ଜେନା ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଛି।
ଫାଉଣ୍ଡେସନ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଘନଶ୍ୟାମ ଜେନାଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହରେ ଜୀବନବ୍ୟାପୀ ସାହିତ୍ୟ ସାଧନା, କଳା ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ରୁଦ୍ଧିମନୁ କରିବା ପାଇଁ ଉତ୍ସର୍ଗିକୃତ ମନୋଭାବ ନେଇ ସେବା କରୁଥିବା ଶ୍ରୀ ପଲେଇଙ୍କୁ ଏହି ସମ୍ମାନ ଦିଆଯାଇଛି। କନକଚମ୍ପା ଫାଉଣ୍ଡେସନର ସଭାପତି ଡ. ରଂଜନ କୁମାର ପ୍ରତିହାରୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥ୍ ରୂପେ ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଶିବ ଚରଣ ମାଝୀ, ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲାର ଅବସରପ୍ରାପ୍ତ ଚିକିତ୍ସକ ଓ ସମାଜସେବୀ ଡା ଚିନ୍ତାମଣି ଜେନା, ସମ୍ମାନିତ ଅତିଥ୍ ରୂପେ କୋରେଇ ବ୍ଲକର ପୂର୍ବତନ ଉପାଧ୍ଯକ୍ଷ ପ୍ରସନ୍ନ କୁମାର ମିଶ୍ର, ଶିକ୍ଷକ ନେତା କୈଳାସ ନାୟକ, ସୁସାହିତ୍ୟିକା ତଥା ବଉଳ ଫୁଲ ମହକର ସଂପାଦିକା ବ୍ରଜେଶ୍ବରୀ ସିଂ, ଭଦ୍ରକ ଜିଲ୍ଲାର ବରିଷ୍ଠ ଗାଳ୍ପିକ ପ୍ରଭାତ ସିହ୍ନା, ଅନୁଷ୍ଠାନର ସଂପାଦକ ପ୍ରଶାନ୍ତ କୁମାର ଜେନା, ନାରୀ କବି ବିଜୟଲକ୍ଷ୍ମୀ ମହାପାତ୍ର ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦାଶ ଆଦି ପ୍ରମୁଖ ଯୋଗଦେଇ ଶ୍ରୀ ପଲେଇଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିବା ସହିତ ଉଚ୍ଚ ପ୍ରଶଂସା କରିଥିଲେ।
ଶ୍ରୀ ପଲେଇ ନିଜ ବାସଗୃହକୁ ଫେରିବା ପରେ ପରେ ସଂଯୋଗୀ ସଜଫୁଲ ପରିବାର ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ତତ୍ ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାରସ୍ବତ ସ୍ରଷ୍ଟା, ଶୁଭେଚ୍ଛୁ, ବନ୍ଧୁମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA