
ଭଦ୍ରକ, ୮ ନଭେମ୍ବର (ହି.ସ.) - ଧର୍ମପ୍ରାଣା ସମାଜସେବିକା ସ୍ୱର୍ଗତଃ ମଙ୍ଗଳାକ୍ଷୀ ବାରିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଆଜି ମଙ୍ଗଳାକ୍ଷୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ତଛକସ୍ଥିତ ସତ୍ସଙ୍ଗ ବିହାର ନିକଟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ରକ୍ତଭଣ୍ଡାରର ମୁଖ୍ୟ ଡାକ୍ତର ବିମଳା ମିଶ୍ରଙ୍କ ତତ୍ୱାବଧାନରେ ବ୍ଲଡ୍ ବ୍ୟାଙ୍କର ରୂପକ କୁମାର ସେନାପତିଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସହଯୋଗିତାରେ ଏହି ଶିବିରର ଆୟୋଜନ ହୋଇଥିଲା। ସକାଳ ୯ ଘଟିକାରୁ ଆରମ୍ଭ ହୋଇଥିବା ଏହି ଶିବିର ଅପରାହ୍ନ ୨ ଘଟିକାରେ ଶେଷ ହୋଇଥିବାବେଳେ ମୋଟ ୬୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରଟି ଟ୍ରଷ୍ଟର ସଭାପତି ରମାକାନ୍ତ ପଲାଇଙ୍କ ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣରେ ଉଦ୍ଯାପିତ ହୋଇଥିଲା। ପ୍ରତ୍ୟେକ ରକ୍ତଦାତାଙ୍କୁ ଟ୍ରଷ୍ଟ ପକ୍ଷରୁ ଗୋଟାଏ ଲେଖାଏଁ ଛତା ପ୍ରଦାନ କରି ଶ୍ରୀ ପଲାଇ କୃତଜ୍ଞତା ଜ୍ଞାପନ କରିଥିଲେ। ବିଶେଷକରି ରଶ୍ମିରଂଜନ ମହାକୁଡ, ମନିଷା ପଲେଇ ଓ ମିନାକ୍ଷୀ ମହାକୁଡ ପ୍ରମୁଖ ଏହି ଶିବିରର ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ