
ନୂଆପଡ଼ା, ୮ ନଭେମ୍ବର (ହି.ସ.)- ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ଅପରାହ୍ଣ ୪ଟାରୁ ପ୍ରଚାର ବନ୍ଦ ହେବ । ଏହି କଟକଣା ୧୧ ତାରିଖ ସନ୍ଧ୍ୟା ଯାଏ ବଳବତର ରହିବ । ଆସନ୍ତା ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଆସନ୍ତାକାଲି ଅପରାହ୍ଣ ୪ଟାରୁ ୪୮ ଘଂଟିଆ ସାଇଲେନ୍ସ ପିରିୟଡ ଆରମ୍ଭ ହେବ ।
ଏହି ସମୟରେ ସମସ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରଚାର, ସଭା, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇଛି । ଏଥିସହ ଯେଉଁ ରାଜନୈତିକ କର୍ମୀମାନେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବାସିନ୍ଦା କିମ୍ବା ଭୋଟର ନୁହନ୍ତି ସେମାନଙ୍କୁ ପ୍ରଚାର ବନ୍ଦ ସମୟ ଆରମ୍ଭ ହେବା ପୂର୍ବରୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ମିଡିଆ କଭରେଜ୍, ଟେଲିଭିଜନ୍ ଓ ଡିଜିଟାଲ୍ ପ୍ଲାଟଫର୍ମରେ ଏବଂ ରାଜନୈତିକ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ସାଇଲେନ୍ସ ପିରିୟଡ ୪୮ ଘଂଟା ମଧ୍ୟରେ ସାମାଜିକ ଗଣମାଧ୍ୟମରେ କୌଣସି ରାଜନୈତିକ ବିଷୟବସ୍ତୁ ପୋଷ୍ଟ କିମ୍ବା ସେୟାର ନକରିବା ପାଇଁ କୁହାଯାଇଛି । ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁକ୍ତ, ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ ପାଇଁ ପୋଲିସ୍ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ ନିୟୋଜିତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ