ସମ୍ବଲପୁରର ବିକାଶ ଓ ସମସ୍ୟା ନିରାକରଣ ପାଇଁ ହେବ ସିଡ଼ିପି
ସମ୍ବଲପୁରର ବିକାଶ ଓ ସମସ୍ୟା ନିରାକରଣ ପାଇଁ ହେବ ସିଡ଼ିପି
ସମ୍ବଲପୁରର ବିକାଶ ଓ ସମସ୍ୟା ନିରାକରଣ ପାଇଁ ହେବ ସିଡ଼ିପି


ସମ୍ବଲପୁର, ୦୮ ନଭେମ୍ବର (ହି.ସ.) ସମ୍ବଲପୁର ସହରର ସମନ୍ୱିତ ବିକାଶ ପାଇଁ ଯୋଜନା ପ୍ରଣୟନ ଉପରେ କେନ୍ଦ୍ର ସରକାର ଯୋର ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର ଗତ ଅଗଷ୍ଟ ମାସରେ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଶ୍ରୀ କପୁରଙ୍କ ରିପୋର୍ଟ ଏବଂ ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଓଡ଼ିଶା ରାଜ୍ୟ ସରକାରଙ୍କୁ ସମ୍ବଲପୁର ନଗରୀର ବିକାଶ ଓ ଜ୍ୱଳନ୍ତ ସମସ୍ୟା ର ନିରାକରଣ ନିମନ୍ତେ ସମନ୍ଵିତ ବିକାଶ ଯୋଜନା ପ୍ରଣୟନ ପାଇଁ କୁହାଯାଇଛି।‌ ଏହି ଯୋଜନାରେ ସ୍ଥାନୀୟ ଶିଳ୍ପ ସଂସ୍ଥା ଗୁଡିକୁ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଶିଳ୍ପ ଓ ଶିକ୍ଷା କେନ୍ଦ୍ର ହେବା ସହିତ କଳା ଓ ସଂସ୍କୃତି କ୍ଷେତ୍ରରେ ଉନ୍ନୀତ ଅଞ୍ଚଳ ହୋଇଥିଲେ ମଧ୍ୟ ଭିତ୍ତିଭୂମି ର ଅଭାବରେ ସମ୍ବଲପୁର ଅଞ୍ଚଳ‌ ଗୁରୁତର ପ୍ରଦୂଷଣ, ଟ୍ରାଫିକ ଓ ଅନ୍ୟ ସମସ୍ୟା ଦ୍ବାରା‌ ପ୍ରଭାବିତ । ଏହି ସମସ୍ୟା ର ନିରାକରଣ ଦିଗରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ଯୋଜନା ପ୍ରଣୟନ ସକାଶେ କୁହାଯାଇଛି । ସମ୍ବଲପୁର ଆଧୁନିକ ନଗରୀୟ ସୁବିଧା ଓ ଭିତ୍ତିଭୂମି ରୁ ବଞ୍ଚିତ ହୋଇ ରହିଥିବା ବିଷୟକୁ ପିଏମଓ ଗୁରୁତ୍ବର ସହିତ ଉଲ୍ଲେଖ କରିଛି । ସେହିପରି ଡେବ୍ରିଗଡକୁ ଆଧାର କରି ବିଶେଷ ଯୋଜନା, ସମ୍ବଲପୁର - ରାୟପୁର ଓ ସମ୍ବଲପୁର - ରାଞ୍ଚି ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ର ପ୍ରବର୍ତ୍ତନ ଆଦି ପାଇଁ ପ୍ରସ୍ତାବ ଦିଆଯାଇଛି।‌ ଗୁରୁତର ଭାବରେ ପୀଡ଼ିତ ରୋଗୀଙ୍କୁ ଆବଶ୍ୟକ ବେଳେ ହେଲିକପ୍ଟର ରେ‌ ନିଆଯାଇ ପାରିବା ଭଳି ହେଲିପ୍ୟାଡ ନିର୍ମାଣ ପାଇଁ କୁହାଯାଇଛି। ଏକ ଉଚ୍ଚସ୍ତରୀୟ ଯୋଜନା ପ୍ରଣୟନକାରୀ କମିଟି ଗଠନ କରାଯିବାକୁ ଓ କମିଟି ସଦସ୍ୟ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ପ୍ରତ୍ୟକ୍ଷ ଜ୍ଞାନ ହାସଲ କରି ସମ୍ବଲପୁର ପାଇଁ ଆବଶ୍ୟକ ଯୋଜନା ପ୍ରଣୟନ କରିବାକୁ ମଧ୍ୟ କୁହାଯାଇଛି । ସମନ୍ଵିତ ଯୋଜନା ରେ ବୃହତ୍ତର ସମ୍ବଲପୁର ଅର୍ଥାତ୍ ଝାରସୁଗୁଡ଼ା କୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ, ପ୍ରାୟ ୨ହଜାର ବର୍ଷ ର ସଭ୍ୟତା ବିଜଡିତ ବର୍ତ୍ତମାନ ର ସମ୍ବଲପୁର ସହର ୧୫ଶହ ସତାବ୍ଦୀ ରେ ଉତ୍ପତ୍ତି ଲାଭ କରିଥିଲା। ତିନୋଟି ନଦୀ, ଅନେକ ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ମନୋରମ ପ୍ରାକୃତିକ ଶୋଭାରାଜୀ ପାଇଁ ସମ୍ବଲପୁର ଏକଦା ଶୈଳ ନିବାସ ଭାବରେ ପରିଚୟ ସୃଷ୍ଟି କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande