
କୋରେଇ, ୮ ନଭେମ୍ବର (ହି.ସ.)- ଗ୍ରାମାଂଚଳରେ ଏବେ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ପାଇପ ବିଛା କାମ ଚାଲୁ ରହିଛି । ହେଲେ ପାନୀୟ ଜଳ ଯୋଗାଇବା ପାଇଁ ପକାଯାଉଥିବା ପାଇପ ରାସ୍ତା କଡରେ ନିଆଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଥରପଦା ପଂଚାୟତ ଅନ୍ତର୍ଗତ ଓଚିନ୍ଦା ଗ୍ରାମକୁ ଯାଇଥିବା ରାସ୍ତାରେ । ଜେସିବି ଦ୍ୱାରା ଗାତ ଖୋଳି ପାଇପ ବିଛାଯାଉଛି । ଫଳରେ ପିଚୁ ରାସ୍ତା କଡ ଭାଂଗିଯାଉଛି । ରାସ୍ତାର ଉଭୟ ପଟ ଖୋଳି ଦେଇ ପାଇପ ପୁରାଇବା ପରେ ତାକୁ ସମାନ କରାଯାଉନଥିବାରୁ ପିଚୁର ଦୁଇ କଡରେ ଖାଲ ହୋଇଯାଉଛି । ଯାହା ଫଳରେ ପୂର୍ବରୁ ରାସ୍ତାରେ ଦୁଇଟି ଗାଡି ଗଲେ ଗୋଟିଏ ଗାଡି ପିଚୁରୁ ରାସ୍ତା ତଳକୁ ଓହ୍ଲାଇ ଥାଏ । ମାତ୍ର ଏବେ ରାସ୍ତା ତଳକୁ ଗାଡି ଗଡିବା ସମ୍ଭବ ହେଉନାହିଁ । ଯାହା ଫଳରେ ଦୂରରୁ ଗାଡି ରଖିବାକୁ ପଡୁଛି । ହେଲେ ଠିକାଦାର ପାଇପ ବିଛା ପରେ ଖାଲକୁ ମରାମତି ନକରି ଛୁ ମାରିଛି । ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପାଣି ପାଇବା ପାଇଁ ରାସ୍ତା ନଷ୍ଟ ହେବା ହେବା କେତେଦୂର ଯଥାର୍ଥ ତାହା ବୁଝା ପଡୁନି । ପାନୀୟ ଜଳ ବିଭାଗ ପକ୍ଷରୁ ଯେଉଁମାନଙ୍କୁ ଠିକା ଦିଆଯାଇଛି ସେମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବାର ଆବଶ୍ୟକତା ରହିଛି । ରାସ୍ତା କଡ ଖୋଳି ଚାଲିଗଲେ ହେବ ନାହିଁ । ଏହାକୁ ମରାମତି କରିବାର ଆବଶ୍ୟକତା ଜରୁରୀ ହୋଇପଡିଛି । ନଚେତ ବଢୁଥିବା ଅସନ୍ତୋଷ ଉଗ୍ର ରୂପ ନେବାର ସମ୍ଭାବନା ରହିଛି । ଏନେଇ କୋରେଇ ପାନୀୟ ଜଳ ବିଭାଗ ସହକାରୀ ଯନ୍ତ୍ରୀ ଖଗେଶ୍ୱର ବେହେରାଙ୍କୁ ପଚାରିବାରୁ ଖୋଳିଥିବା ରାସ୍ତା ପାଶ୍ୱର୍ ମରାମତି କରିବାକୁ ଠିକାଦାର ବାଧ୍ୟ । ସେଥିପାଇଁ ମାର୍ଗଦର୍ଶିକା ରହିଛି । ଠିକାଦାର ଯଦି ଏହାକୁ ଅମାନ୍ୟ କରନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ