
ନୂଆପଡା/ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ବିଜେଡି ଦଳ ନିଜେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛି । କୃତ୍ରିମ ବୁଦ୍ଧିମତା ତଥା ଏଆଇ ଜ୍ଞାନକୈାଶଳର ଅପବ୍ୟବହାର କରି ବିଭ୍ରାନ୍ତ ସୃଷ୍ଟି କରୁଛି । ଚଳିତ ନୂଆପଡା ଉପନିର୍ବାଚନରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଂଟେଲିଜେନ୍ସ) ଜରିଆରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ସାହୁଙ୍କ କଦର୍ଥ ଫଟୋଚିତ୍ରକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଭାଇରାଲ କରି ସାଧାରଣ ଭୋଟରଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛି । ଏହା ସଂପୂର୍ଣ୍ଣ ଭାବେ ଦଣ୍ଡନୀୟ ଅପରାଧ ଏବଂ ଏଭଳି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଇନ ମୁତାବକ ଦଣ୍ଡବିଧାନ କରିବାକୁ ବିଜେପିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବୀ କରିଛି ।
ବିଜେଡି ପରାଜୟ ଭୟରେ ଏପରି ହୀନ ଅପଚେଷ୍ଟା କରୁଛି । ଯାହାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ଓ ସାଇବର ଆଇନ ଅନୁସାରେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛୁ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ ସାମାଜିକ ଗଣମାଧ୍ୟମ ସହ ସଂଯୋଜିକା ମାନସୀ ମଞ୍ଜରୀ ପାଢୀ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା