
ନୂଆପଡ଼ା / ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ନୂଆପଡ଼ା ସ୍ଥିତ ଖୁଣ୍ଟିଆ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି କଂଗ୍ରେସ ଏକମାତ୍ର ଦଳ ଯିଏ ଏକ ମାଟିର ମଣିଷ, ଲଢୁଆ ଓ ନିଷ୍କଳଙ୍କ ବ୍ୟକ୍ତି ଘାସିରାମଙ୍କୁ ପ୍ରାର୍ଥୀ କରିଛି । ଯଦି ଆମେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ତୁଳନା କରିବା ତେବେ କଂଗ୍ରେସର ପ୍ରାର୍ଥୀ ଖୋଲାଖାତା ଭଳି ଯାହା ଆମେ ନିଜ ଇସ୍ତାହାରରେ ପ୍ରକାଶ କରି ସାରିଛୁ ବୋଲି ଶ୍ରୀ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି କି ଯିଏ ଏଭଳି ନେତା ସେ ବ୍ଲକ ଚେୟାରମ୍ୟାନ ଥିଲାବେଳେ ନିଜ ବିଡ଼ିଓଙ୍କୁ ଭିଜିଲାନ୍ସ ଧରାଇଥିଲେ, ଏପରିକି ନିଜ କର୍ମୀଙ୍କ ବିରୁଦ୍ଧରେ ଧାରଣା ଦେଇଥିଲେ । ତାଙ୍କ ୪୧ ବର୍ଷର ରାଜନୈତିକ ଜୀବନ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ଏକ ଉଦାହରଣ ।
କେଉଁ ପୂର୍ବତନ ବିଧାୟକ ନକଲି ୟୁରିଆ ସାର ଅଭିଯୋଗରେ ଫେରାର ହେବାକୁ ବାଧ୍ୟ ହୋଇଥିଲେ ?
କେଉଁ ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ତିଖାଲୀ ଡ୍ୟାମ ପ୍ରୋଜେକ୍ଟରେ ନିଜକୁ ଚାଷୀ ଦର୍ଶାଇ କୋଟି କୋଟି ଟଙ୍କା ହଡପ କରିଥିଲେ ଓ ପରେ ଫେରେଇ ଥିଲେ ? ଅନ୍ୟ ଏକ ଦଳର ପ୍ରାର୍ଥୀନୀ ବିଧାୟିକା ଥିଲେ ମନ୍ତ୍ରୀ ମଧ୍ୟ ଥିଲେ ହେଲେ ଜଣେ ନେତାଙ୍କୁ ଜନତା ଯେତେ ଟାହି ଟାପରା କଲେ ମଧ୍ୟ ପିସି ରାଣୀ ବୋଲି କହିବାର ନିଶ୍ଚୟ ବିଶେଷତ୍ୱ ଅଛି । ଜଣେ ପିସି ରାଣୀ ନିଜ ମଣ୍ଡଳୀରେ ହାରିଯିବା ସତ୍ୱେ ନୂଆପଡାରେ ପ୍ରାର୍ଥୀ ହେବାର ଯୋଗ୍ୟତା ଅଛି କି । ତାଙ୍କ ସ୍ୱାମୀ ଆରଏମସି ସେକ୍ରେଟାରୀ ଥିଲେ କିନ୍ତୁ ସେ ପ୍ରକୃତରେ ସୁପର ବିଧାୟକ ଓ ମନ୍ତ୍ରୀ ଥିଲେ ।ତେଣୁ ଏହି ଉପନିର୍ବାଚନରେ ଦୁର୍ନୀତି ଏକ ମୁଦ୍ଦା ହେବା ନିତାନ୍ତ ଜରୁରୀ । କାରଣ ଜଣେ ଦୁର୍ନୀତିଗ୍ରସ୍ତ ବିଧାୟକ ସାଧାରଣ ଜନତାଙ୍କ ଅଧିକାର ପାଇଁ ଲଢେଇ କରିବେ ନାହିଁ ।
ନୂଆପଡ଼ା ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ରଙ୍କ ସଂଯୋଜନାରେ ଆଜିର ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ଓ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା