
ଧର୍ମଶାଳା, ୮ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଚହଟା ପଂଚାୟତ ଚହଟା ଗ୍ରାମରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବା ଫଳରେ ଯୁବ ସମାଜ ପଥଭ୍ରଷ୍ଟ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ଗ୍ରାମ ଗୋଚ୍ଛାୟତ ସାହିରେ ନିଶା କାରବାର ଦିନ ଦ୍ୱିପହରରେ ଚାଲୁଥିବା ନେ଼ଇ ଗ୍ରାମବାସୀମାନେ ଥାନାରେ ଅଭିଯୋଗ କରିଛନ୍ତି । ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ, ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ପଠାଇଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ, ଚହଟା ଗ୍ରାମ ଗୋଛୟତ ସାହିର ସ୍ୱର୍ଗତ ଉଦୟ ଗୋଚ୍ଛାୟତଙ୍କ ଝିଅ ମମତା ଗୋଚ୍ଛାୟତ ଓ ଚିନୁ ସାହୁ ଉଭୟ କିଛିବର୍ଷ ହେଲା ଅବକାରୀ ଦ୍ରବ୍ୟ ବିକ୍ରୟ କରୁଥିବା ନେଇ ଅଭିଯୋଗ ହୋଇଆସୁଛି । ବାରମ୍ବାର ଅଭିଯୋହ ସତ୍ୱେ ପୁଲିସ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ତାହା ବ୍ୟାପକ ହେବା ସହିତ ଦିନ ଦ୍ୱିପହରରେ ଗଞ୍ଜେଇ, ବ୍ରାଉନ ସୁଗାର ଓ ଅବକାରୀ ଦ୍ରବ୍ୟ କାରବାର ବଢ଼ୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ଦ୍ରବ୍ୟକୁ ଯୁବକମାନେ ସେବନ କରି ଅନେକ ସମୟରେ ରାସ୍ତା ଘାଟରେ ଗଣ୍ଡଗୋଳ କରିବା ସହ ଗ୍ରାମର ଝିଅ ବୋହୂଙ୍କୁ କମେଟ କରିଥାନ୍ତି । ନିଶା ସେବନ ଫଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏହା ଫଳରେ ଚହଟା ଗ୍ରାମର ବିଭିନ୍ନ ସାହି ପ୍ରଭାବିତ ହେଉଛନ୍ତି । ଏହାର ପ୍ରତିବାଦରେ ଚହଟା ଗ୍ରାମର କିଛି ଯୁବକ ଥାନା ଅଧିକାରୀ ରଞ୍ଜନ କୁମାର ମାଝିଙ୍କୁ ଜଣାଇଛନ୍ତି । ଅବକାରୀ ଦ୍ରବ୍ୟ ଚୋରାରେ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମର ସରପଂଚଙ୍କ ପ୍ରତିନିଧି ବିଚିତ୍ର ସ୍ୱାଇଁ, ମହସିନ ଖାଁନ, ପ୍ରଦୀପ୍ତ ଗୋଚ୍ଛାୟତ, ଫରତ ବିବି, ସୁହାନ ବିବି, ଅଲିମ ଖାନ, ଅକ୍ଷୟ ସେଠୀ, ମନୋରମା ପ୍ରଧାନ, ରଞ୍ଜନ କୁମାର ମହାନ୍ତି, ତ୍ରିଲୋଚନ ପ୍ରଧାନ, ପ୍ରଶାନ୍ତ ରାଉତ, ଉର୍ବଶୀ ସାହୁ, ମନୋରମା ମହାନ୍ତି, ସୁଜାତା ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଚୋରା ନିଶା କାରବାର ବନ୍ଦ କରାନଯାଏ ତେବେ ଧର୍ମଶାଳା ଥାନା ସମ୍ମୁଖରେ ଗ୍ରାମବାସୀ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ