କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୁବର୍ଣ୍ଣପୁର ଚାଷୀଙ୍କ ମାନ ରଖିଲେ
ସୁବର୍ଣ୍ଣପୁର, ୧୫ ଡିସେମ୍ବର (ହି.ସ.)- ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ତରଫରୁ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଏକ ଅଭିନବ ଢ଼ଙ୍ଗରେ ଚାଷୀ ମାନଙ୍କ ଅସୁବିଧା ଓ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଜଣାଇଥିଲେ। ସଂଗଠନ କହିବା ହିସାବରେ ଚାଷୀ ହେଉଛି ଭାତ ଭୋଟ ଓ
କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୁବର୍ଣ୍ଣପୁର ଚାଷୀ ମାନଙ୍କ ମାନ ରଖିଲେ


ସୁବର୍ଣ୍ଣପୁର, ୧୫ ଡିସେମ୍ବର (ହି.ସ.)- ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ତରଫରୁ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଏକ ଅଭିନବ ଢ଼ଙ୍ଗରେ ଚାଷୀ ମାନଙ୍କ ଅସୁବିଧା ଓ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଜଣାଇଥିଲେ। ସଂଗଠନ କହିବା ହିସାବରେ ଚାଷୀ ହେଉଛି ଭାତ ଭୋଟ ଓ ନୋଟ୍ ର ମାଲିକ। ନେତା ମନ୍ତ୍ରୀ ଅମଲା ତନ୍ତ୍ର ସେମାନଙ୍କ ସେବକ। ଏଣୁ ଚାଷୀଙ୍କ ଦାବୀ ଶୁଣିବା ପାଇଁ ଉପମୁଖ୍ୟମନ୍ତ୍ରୀ ସମୟ ଦିଅନ୍ତୁ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ସେମାନେ ବିକ୍ଷୋଭ କରି କହିଥିଲେ। ମୁଖ୍ୟ ଦାବି ମଧ୍ୟରେ ଚାଷୀଙ୍କୁ ୩୧୬୯ ଟଙ୍କା ଏମଏସପି ଦେବା, ମଣ୍ଡି ଭିତ୍ତିଭୂମି ସଜାଡି ବିନା କଟନି ଛଟନିରେ ଧାନ ବିକିବା ନିଶ୍ଚିତ କରିବା, ଶୀଘ୍ର ଟୋକନ୍ ସବୁ ଚାଷୀଙ୍କୁ ପଠାଇବା ଓ ଦୁର୍ନୀତି ଅଭିଯୋଗରେ ପ୍ରଶାସନ ତତ୍ପର ହେବା ଆଦି ଥିଲା। ବେନର ଦେଖି ପୋଲିସ ଆକ୍ରୋଶ ଦେଖାଇବାରୁ ଚାଷୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା। କିନ୍ତୁ ମନ୍ତ୍ରୀ ଶ୍ରୀ ସିଂଦେଓ ଚାଷୀ ମାନଙ୍କୁ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସମୟ ଦେବାର ପ୍ରତିଶୃତି ଦେଇଥିଲେ। ପରେ ସେ ଜିଲ୍ଲାପାଳ ଅଫିସ୍ ରେ ଚାଷୀ ପ୍ରତିନିଧି ମାନଙ୍କ ସାଙ୍ଗରେ ଅଧ ଘଣ୍ଟା ଧରି ଆଲୋଚନା କରିଥିଲେ। ଚାଷୀ ସରକାରଙ୍କ ମଧ୍ୟରେ ସିଧାସଳଖ ଧାନ କିଣା, କଟନି ଛଟନି ବନ୍ଦ କରିବା, ଧାନ ଚାଷ ଅଧିକ ହେଉଛି କହିବା ପରିବର୍ତ୍ତେ ଅନ୍ୟ ୨୩ ଫସଲର ମଣ୍ଡି ଓ ଏମଏସପି ଗ୍ୟାରେଣ୍ଟି ଦେଇ କୃଷି ବିବିଧକରଣକୁ ଆଗକୁ ବଢ଼ାଇବା, ଆଖୁ ମିଲ୍ ସବୁ ବସାଇ କେସ କ୍ରପ୍ ବୃଦ୍ଧି କରିବା, ସ୍ମାର୍ଟ ମିଟରରେ ହେଉଥିବା ବିଲ୍ ବୃଦ୍ଧିକୁ ରୋକିବା, ଚାଷ ପାଇଁ ମାଗଣା ବିଦ୍ୟୁତ୍ ଯୋଗେଇ ଦେବା, ଚାଷୀଙ୍କ ଅସୁବିଧା ହେଲେ ସିଧା ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ସମାଧାନ କରିବା, ଚାଷୀଙ୍କ ଧାନକୁ ଅଦିନିଆ ବର୍ଷାରୁ ବଞ୍ଚାଇବା ପାଇଁ ଗାଁ ଗାଁ ରେ ପର୍ଯ୍ୟାପ୍ତ ଗୋଦାମ ଘର ବନାଇବା, କ୍ଷେତରେ କିମ୍ବା ମଣ୍ଡିରେ କ୍ଷତି ହେଲେ ଚାଷୀଙ୍କୁ ସମପରିମାଣର କ୍ଷତିପୂରଣ ଓ ବୀମା ମିଳିବା, ମିଲ ମାନଙ୍କୁ କମ୍ ଦାମରେ ଚାଉଳ କିଣାରୁ ବିରତ କରିବା, ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରକୁ କହି ଏଫ.ସି.ଆଇ. ଦ୍ଵାରା ଶୀଘ୍ର ଚାଉଳ ଉଠାଇବା, ମିଲ ମାନେ ଅଭାବୀ ବିକ୍ରି ଧାନ କିଣିବାକୁ ଯାଞ୍ଚ କରିବା, ଡିଏଲପିସି ବୈଠକରେ ଚାଷୀ ସଂଗଠନ ମାନଙ୍କୁ ଡାକିବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଜିଲ୍ଲାପାଳ, ଯୋଗାଣ ଅଧିକାରୀଙ୍କୁ ତାଗିଦ୍ କରି ଶୀଘ୍ର ଧାନ ଉଠାଇବା, ମିଲ ସବୁ ଯାଞ୍ଚ କରିବା ଓ ମିଲ ମାନଙ୍କ ଷ୍ଟକ୍ ସାର୍ବଜନୀନ କରିବା ପାଇଁ କହିଥିଲେ। ଆଲୋଚନାରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର, ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀ, ସୋନପୁର ବ୍ଲକ ସଂଯୋଜକ ସଚିନ୍ଦ୍ର ମହାକୁର, ଯୁବ ପ୍ରଭାରୀ ଶ୍ରୀକାନ୍ତ ସାହୁ, ବିଶ୍ଵନାଥ ଦେହେରୀ, ଜିଲ୍ଲା କୃଷକ ସଂଗଠନ ସୋନପୁର ସଭାପତି ବୈକୁଣ୍ଠ ସତପଥୀ, ସାଂସଦ ପ୍ରତିନିଧି ସାନନ୍ଦ ମେହେର, ଜିଲ୍ଲାପାଳ ନୃପରାଜ୍ ସାହୁ, ଯୋଗାଣ ଅଧିକାରୀ ବିଭୁଦତ୍ତ ଦାସ ପ୍ରମୁଖ ଭାଗ ନେଇଥିଲେ।

ଶ୍ରୀ ପ୍ରଦ୍ୟୁମ୍ନ ପାଢ଼ୀ କହିଛନ୍ତି ଉପମୁଖ୍ୟମନ୍ତ୍ରୀଙ୍କ କଥା ନ ରଖି ଯଦି ପ୍ରଶାସନ ମନ ମାନୀ କଲା ଆଗକୁ ଭୀଷଣ ଆନ୍ଦୋଳନ ହେବ। ଶେଷରେ ରାଜେନ୍ଦ୍ର ମିଶ୍ର ଗଣତନ୍ତ୍ରର ମାନ ରଖି ଚାଷୀଙ୍କ ସହ ଆଲୋଚନା କରିଥିବାରୁ ଶ୍ରୀ ସିଂଦେଓଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande