

ସମ୍ବଲପୁର, ୧୬, ଡିସେମ୍ବର (ହି.ସ.) ଧାନ କିଣା ବିକା ଅବ୍ୟବସ୍ଥା ନେଇ ରେଙ୍ଗାଲି ବିଧାୟକଙ୍କ ଗଭୀର ଉଦବେଗ। ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ଲେଖିଲେ ପତ୍ର । ସମ୍ବଲପୁର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ସାଢ଼େ ୪ କୋଟି ଜନତାଙ୍କ ମୁହଁରେ ଆହାର ଯୋଗାଉଥିବା ଚାଷୀମାନଙ୍କ ଠାରୁ ଧାନ କିଣାରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଅଚଳାବସ୍ଥା ନେଇ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଗଭୀର ଉଦବେଗ ଓ ଚିନ୍ତା ପ୍ରକଟ କରିଛନ୍ତି। ଏହି ସମସ୍ୟାର ତ୍ବରିତ୍ ସମାଧାନ ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ପୃଥକ ପୃଥକ ଦୁଇଟି ପତ୍ର ଲେଖିଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ଉଭୟ ପତ୍ରରେ ଧାନ କିଣା ବିକା ପ୍ରକ୍ରିୟାକୁ ସୁଗମ ଓ ଚାଷୀ ମାନଙ୍କ ସ୍ବାର୍ଥ ଉପଯୋଗୀ କରିବାକୁ ସେ କେତୋଟି ସୁଚିନ୍ତିତ ପ୍ରସ୍ତାବ ମଧ୍ୟ ଦେଇଥିବା ଉଲ୍ଲେଖ କରିଛନ୍ତି। ଦେଶର ଅନ୍ୟ ରାଜ୍ୟ ଭଳି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ସିଧାସଳଖ ଏବଂ କେନ୍ଦ୍ରୀୟ ଏଜେନ୍ସୀ ଜରିଆରେ ଧାନ କିଣିବା, କଟନୀ-ଛଟନୀ ବିଜେପିର ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ମୁତାବକ ସଂପୂର୍ଣ୍ଣ ବନ୍ଦ କରି ଅନ୍ନଦାତାଙ୍କୁ ଶୋଷଣରୁ ରକ୍ଷା କରିବା, ଅନ୍ନଦାତାଙ୍କୁ ପରିବହନ ଓ ବସ୍ତାବାବଦ ପ୍ରାପ୍ଯ ପ୍ରଦାନ କରିବା ତଥା ଚାଷୀମାନଙ୍କୁ ଜାରି କରାଯାଉଥିବା ଟୋକନ ବ୍ୟବସ୍ଥାର ପୁନଃ ବିଚାର କରିବାକୁ ସେ ଦାବି କରିଛନ୍ତି। ଏଫସିଆଇର ଗୋଦାମ ଗୁଡ଼ିକ ରବି ଫସଲର କଷ୍ଟମ ମିଲିଂ ଚାଉଳରେ ଭର୍ତ୍ତି ହୋଇଥିବାରୁ ତୁରନ୍ତ ବଳକା ଚାଉଳ ଉଠାଇବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟଥା ଖରିଫ ଫସଲ କଷ୍ଟମ ସିଲିଂ ଚାଉଳ ଗୋଦାମରେ ରଖିବା ଅସମ୍ଭବ ହେବ ବୋଲି ବିଧାୟକ ହରିପାଲ ସତର୍କ କରିଦେଇଛନ୍ତି। କୃଷିଭିତ୍ତିକ ଅର୍ଥନୀତି ହେଉଛି ଓଡ଼ିଶାର ମେରୁଦଣ୍ଡ। ଅନ୍ନଦାତାଙ୍କ ସ୍ବାର୍ଥରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ବ ଓ କର୍ତ୍ତବ୍ୟ। ତେଣୁ ଟୋକନ ସମସ୍ଯାର ତୁରନ୍ତ ନିରାକରଣ କରି ଅନ୍ନଦାତାଙ୍କୁ ଉଚିତ ହକ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ କରିଥିବା ଚାଷୀମାନଙ୍କ ଗିରଫଦାରୀକୁ ଶ୍ରୀ ହରିପାଲ ଦୃଢ଼ ନିନ୍ଦା କରିବା ସହ ରାଜ୍ୟ ସରକାର କରିଥିବା ପାପର ପ୍ରାୟଶ୍ଚିତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଧାୟକ ହରିପାଲ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷେ ଚାଷୀଙ୍କ କଟା ଘା ରେ ମଲମ ଲଗାଇବା ପାଇଁ କୁଆଡେ଼ ପ୍ରୟାସ କରିଛନ୍ତି ରେଢ଼ାଖୋଲର ପୂର୍ବତନ ବିଧାୟକ ଏବଂ ସମ୍ବଲପୁର ବିଧାୟକ। ବିଗତ ଦିନର ଶାସକ ଦଳର ବିଧାୟକ ଯାହା କହୁଥିଲେ ଏବେ ଠିକ ବର୍ତ୍ତମାନର ଶାସକ ଦଳର ବିଧାୟକ କହୁଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ବିଗତ ଦିନର ବିରୋଧି ଦଳର ବିଧାୟକ ଯାହା କହୁଥିଲେ ବର୍ତ୍ତମାନର ବିରୋଧି ଦଳର ବିଧାୟକ ମଧ୍ୟ ତାହା କହୁଛନ୍ତି। କେବଳ ପଟ୍ଟ ପରିବର୍ତ୍ତନ ହୋଇ ଚାଲିଛି ଡ୍ରାମା ବୋଲି ମଧ୍ୟ କେତେକ ମତବ୍ୟକ୍ତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ