
କେନ୍ଦୁଝର,୧୬ ଡିସେମ୍ବର (ହି.ସ.)-
ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସେଣ୍ଟ ଜାଭିୟର ସ୍କୁଲ ପରିସରରେ ଗତକାଲି ହ୍ୟମାନ ସାଗରଙ୍କ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାପ୍ତି କ୍ରିଏସନ ପକ୍ଷରୁ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ମୃତିରେ ଅଞ୍ଚଳର ଗରୀବ ଲୋକ ମାନଙ୍କୁ ଶୀତ ବସ୍ତ୍ର କମ୍ବଳ ପ୍ରଦାନ ସହ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶ, ବିଭୁନ ସାହୁ ଏବଂ ପ୍ରାପ୍ତି କ୍ରିଏସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବଡ଼ପାଟଣା ସରପଞ୍ଚ ବିନତି ବାନରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରଜତ କୁମାର ଦାଶ, ଅଶୋକ କୁମାର ଦାଶ, ବିଭୁପ୍ରସାଦ ତ୍ରିପାଠୀ, ବିଜୟ ରତ୍ନ ପତି, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ଚେୟାରମ୍ୟାନ ଅଜୟ କୁମାର ଦାଶ, ସମ୍ପାଦକ ଅବିନାଶ ଦାଶ, ବିଦ୍ୟାଳୟ ର ଅଧ୍ୟକ୍ଷ ଗଣେଶ ପ୍ରସାଦ ଦାସ, ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ହ୍ୟୁମାନ ସାଗରଙ୍କ ସ୍ମୃତିରେ କଣ୍ଠ ଶିଳ୍ପୀ ରମେଶ କୁମାର ମହାନ୍ତ ହ୍ୟୁମାନ ସାଗରଙ୍କ ର କିଛି ଅଭୁଲା ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ କଳ୍ପତରୁ ଦାସ ଓ ଝୁଲୁ ଖାଟୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଗରିବ ଲୋକଙ୍କୁ ଏକ ଶହରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ କରାଯାଇଥିଲା। ଏହା ପରେ ହ୍ୟୁମାନ ସାଗରଙ୍କ ଉଦ୍ୟେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରିବା ପରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।
ସୂଚନାଯୋଗ୍ୟ ଯେ ପ୍ରାପ୍ତି କ୍ରିଏସନ ଦ୍ୱାରା ସଙ୍ଗୀତ ନିର୍ଦେଶକ ଚିନ୍ମୟ କୁମାର ଦାଶ ଏବଂ ବିଭୁନ ସାହୁଙ୍କ ନିର୍ଦେଶନାରେ ଦିବଙ୍ଗତ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ୪ ଶହରୁ ଅଧିକ ଗୀତ ଗାଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA