କାମିନୀ ମାଝୀ ଶୁଖୁଆ ବିକି ଆତ୍ମନିର୍ଭରତାର ଜୀବନ୍ତ ଉଦାହରଣ ପାଲଟିଛନ୍ତି
ଭଦ୍ରକ, ୧୬ ଡିସେମ୍ବର (ହି.ସ.) - ଓଡ଼ିଆ ଘର କହିଲେ ଭାତ, ଡାଲି ଓ ଶୁଖୁଆ। ଏହି ତିନିଟି ଅବିଚ୍ଛିନ୍ନ ପରମ୍ପରା। ଗାଁ ଘରର ରସୋଇଘରରେ ଇଲିଶ, ଚମ୍ପା, ଚିଙ୍ଗୁଡ଼ି, ଶିଳା, ସିରାମୁଣ୍ଡି ଭଳି ଶୁଖୁଆ ଆଜି ବି ସ୍ୱାଦ ଓ ସଂସ୍କୃତିର ପରିଚୟ। ଏହି ପରମ୍ପରାକୁ ଜୀବନ ଓ ଜୀବିକା ସହ ଜଡ଼ି ରଖିଛନ୍ତି ଭଦ୍ରକ ଜିଲ୍ଲା
KAMINI MAJHI SUKHUA BIKALI


ଭଦ୍ରକ, ୧୬ ଡିସେମ୍ବର (ହି.ସ.) - ଓଡ଼ିଆ ଘର କହିଲେ ଭାତ, ଡାଲି ଓ ଶୁଖୁଆ। ଏହି ତିନିଟି ଅବିଚ୍ଛିନ୍ନ ପରମ୍ପରା। ଗାଁ ଘରର ରସୋଇଘରରେ ଇଲିଶ, ଚମ୍ପା, ଚିଙ୍ଗୁଡ଼ି, ଶିଳା, ସିରାମୁଣ୍ଡି ଭଳି ଶୁଖୁଆ ଆଜି ବି ସ୍ୱାଦ ଓ ସଂସ୍କୃତିର ପରିଚୟ। ଏହି ପରମ୍ପରାକୁ ଜୀବନ ଓ ଜୀବିକା ସହ ଜଡ଼ି ରଖିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆନନ୍ଦପୁର ପଂଚାୟତ ଅନ୍ତର୍ଗତ ଉତେଇପୁର ମାଝୀ ସାହି ଗ୍ରାମର କାମିନୀ ମାଝୀ ଆଜି ଆତ୍ମନିର୍ଭରତାର ଜୀବନ୍ତ ଉଦାହରଣ। ସ୍ୱର୍ଗତ ସ୍ୱାମୀ ଶଶିକାନ୍ତ ମାଝୀଙ୍କ ମୃତ୍ୟୁ ପରେ ପ୍ରାୟ ୮ ବର୍ଷ ଧରି ସେ ଏକାକୀ ଭାବେ ପରିବାରର ଦାୟିତ୍ୱ ବୋହି ଆସୁଛନ୍ତି। ପରିବାର କହିଲେ କେବଳ ଗୋଟିଏ ଝିଅ। ଝିଅ ବର୍ତମାନ ଯାଜପୁର ରିଜିଓନାଲ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଅଧ୍ୟୟନରତ। ଝିଅର ପାଠପଢ଼ା ଓ ପରିବାର ପ୍ରତିପୋଷଣ ପାଇଁ କାମିନୀ ମାଝୀ ଶୁଖୁଆ ବେପାରକୁ ଆଶ୍ରୟ କରିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଉପବାସରେ ଛୋଟ ଝିଅକୁ ଧରି ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା କାମୀନି ସେଶରେ ଘର ଚଳିବା ପାଇଁ ଅନ୍ୟ କୌଣସି ଉପାୟ ନପାଇ ଆଦୋରି ନେଇଥିଲେ କୁଲବେଉସା ସୁଖିଆ ବେପାରକୁ। ସାଡ଼ି ପିନ୍ଧି ମୁଣ୍ଡରେ ଉଢ଼ଣା ଟାଣି ପ୍ରଥମେ ମୁଣ୍ଡରେ ଟୁକେଇ ଧରି ଗାଁ ଗାଁ ବୁଲି ଶୁଖୁଆ ବିକ୍ରି କରୁଥିବା କାମିନୀ ମାଝୀ ପରେ ପରିଶ୍ରମ ଓ ସଂଚୟରେ ଗୋଟିଏ ପୁରୁଣା ସାଇକେଲ କିଣିଲେ। ଗତ କିଛି ବର୍ଷ ଧରି ସେହି ସାଇକେଲ ହିଁ ତାଙ୍କ ଜୀବିକାର ଏକମାତ୍ର ଆଧାର କରିଚାଲିଛନ୍ତି। ସାଇକେଲ ହ୍ୟାଣ୍ଡେଲରେ ୪ ରୁ ୫ଟି ବ୍ୟାଗ ଝୁଲାଇ ଓ ପଛ ପାଖରେ ଏକ କେରେଟରେ ଚିଙ୍ଗୁଡ଼ି, ସିରାମୁଣ୍ଡି, ନମ୍ବନାଜି, ଚମ୍ପା, ଇଲିଶ, ଶିଳା, ଚାନ୍ଦି ଭଳି ବିଭିନ୍ନ ପ୍ରକାର ଚିକ ଚିକ୍ ଶୁଖୁଆ ଭଦ୍ରକ ଓ ତିହିଡ଼ିରୁ ଆଣି ଦୋବଲ ଓ ଯାଜପୁର ଅଞ୍ଚଳର ବିଭିନ୍ନ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି। ସଖାଳୁ ଘରୁ ବାହାରି ସନ୍ଧ୍ୟାରେ ଘରକୁ ଫେରିବା ମଧ୍ୟରେ ତାଙ୍କ ଦିନ କଟିଯାଏ। ଶୁଖୁଆ ନେବ... ବୋଲି ଡାକ ଶୁଣି ଗାଁର ମା’ ଓ ମାଉସୀମାନେ ଘରୁ ବାହାରି ଆସି ତାଙ୍କଠାରୁ ଶୁଖୁଆ କିଣନ୍ତି। ଏହି କଠିନ ପରିଶ୍ରମରୁ ପ୍ରତିଦିନ ସେ ୪୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ବୈତରଣୀ ନଦୀ କଡରେ ଘର ଥିବାରୁ ପ୍ରତିବର୍ଷ ବନ୍ୟା ଆଶଙ୍କା ଲାଗି ରହୁଛି। ସରକାରଙ୍କ ପକ୍ଷରୁ ଭତା ଓ ୫ କିଲୋ ରାସନ୍ ମିଳୁଥିଲେ ବି ଏକ ପକା ଘର ପାଇଁ ସେ ଆଜି ବି ଅପେକ୍ଷାରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଲେ ମା’ ଓ ଝିଅ ନିରାପଦ ଭାବେ ଜୀବନ କାଟିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସାଇକେଲ ଉପରେ ଶୁଖୁଆ ବେପାର କରୁଥିବା କାମିନୀ ମାଝୀଙ୍କ ଜୀବନ ସଂଘର୍ଷ ଆଜି ସମାଜ ପାଇଁ ନୀରବ କିନ୍ତୁ ଗଭୀର ବାର୍ତା ଦେଉଛି ପରିଶ୍ରମ ଓ ସ୍ୱାଭିମାନ ଥିଲେ ଅଭାବ ବି ହାର ମାନେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande