
ପୁରୀ, ୧୬ ଡିସେମ୍ବର (ହି.ସ.)- ପୁରୀ ପାଲଟିଛି ପ୍ରଗତିର ପ୍ରୟୋଗ ଶାଳା । ଅନେକ ଯୋଜନା କରାଯାଉଛି । ଗୋଟିଏ ଯୋଜନା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ମୁଣ୍ଡ ଟେକି ପାରୁନାହିଁ । ଜାତୀୟ ରାଜପଥ ରକ୍ଷଣାବେକ୍ଷଣା ନାମରେ କୋଟି କୋଟି ଟଙ୍କା ଚଳୁ କରାଯାଉଛି ବୋଲି ଆମ ଆଦମୀ ପାର୍ଟି (ଆପ)ର ପୁରୀ ଜିଲ୍ଲା ସଭାପତି ସଞ୍ଜିବ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ବିସ୍ଫୋରକ ତଥ୍ଯ ପ୍ରଦାନ କରିଛନ୍ତି । ହରେକୃଷ୍ଣପୁର - ମଙ୍ଗଳାଘାଟ - ଷ୍ଟର୍ଲିନ ଛକ ପ୍ରାୟ ୧୧ କିଲୋମିଟର ରାସ୍ତାରେ ୫ ହଜାର ଭୂତ ଗଛ ନାମରେ ଅର୍ଥ ଆତ୍ମସାତ ହୋଇଥିବା ସେ ଅଭିଯୋଗ କରିଛନ୍ତି । ନିର୍ମାଣ ଓ ମରାମତି ପାଇଁ ମାର୍ଚ୍ଚ ୨୦୨୫ରେ ଇ ଟେଣ୍ଡର କରାଯାଇଥିଲା । ଯାହାର ମୂଲ୍ଯ ୨ କୋଟି ୬୧ ଲକ୍ଷ ଥିଲା । ଏହି କାମକୁ ୪୨ ପ୍ରତିଶତ କମାଇ ୧ କୋଟି ୫୦ ଲକ୍ଷ ୫୯ ହଜାର ଟଙ୍କାରେ ଅଭିସ୍ପା କନଷ୍ଟ୍ରକସନ ଟେଣ୍ଡର ନେଇଥିଲା । ପୁଣି ସେହି କାମକୁ ସେପ୍ଟେମ୍ବର ମାସରେ ୧୧ କୋଟି ୨୧ ଲକ୍ଷ ୪୧ ହଜାର ଟଙ୍କାର ଟେଣ୍ଡରକୁ ୩୫ ପ୍ରତିଶତ କମ କରି ୭ କୋଟି ୨୮ ଲକ୍ଷ ୫୧ ହଜାର ଟଙ୍କାରେ କିପରି ଟେଣ୍ଡର ପାଇଲା ତାକୁ ନେଇ ଆପ ସନ୍ଦେହ ପ୍ରକାଶ କରିଛି । ସେହି କମ୍ପାନୀ କିଭଳି କାମ କରିଥିଲା ତାହା ପୁଣି ୬ ମାସରେ ଉଠିଗଲା ପୁଣି ଟେଣ୍ଡର ହେଲା କିପରି ତାକୁ ନେଇ କାମରେ ରାଧେ ରାଧେ -ଅଧେ ଅଧେ ନ୍ଯାୟରେ ଜନତାଙ୍କୁ ନଜଣାଇ କୌଣସି ଠାରେ ବୋର୍ଡ କିମ୍ବା କ୍ଯୁଆର କୋଡ ନମାରି କାର୍ଯ୍ୟକଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୁରୀର ଏହିପରି ଅନେକ କାର୍ଯ୍ଯ ଜନତା ନଜାଣି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ଠିକାଦାର, ପେଟି ଠିକାଦାର, ଯନ୍ତ୍ରୀ ମିଶି ହରିଲୁଟ କରିଥିବା ଆପ ଅଭିଯୋଗ କରିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତିଙ୍କ ସମେତ ସମ୍ପାଦକ ସତ୍ଯଜିତ ମହାନ୍ତି, ମିଡିଆ ସଂଯୋଜକ ଅନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ