
ଭଦ୍ରକ, ୧୬ ଡିସେମ୍ବର (ହି.ସ.)- ଭଦ୍ରକରେ ପୋଲିସର ଏନକାଉଂଟର୍ । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆ ଆହତ ହୋଇଛି । ତା’ର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ବୁଦ୍ଧିଆ ତା’ର ଜଣେ ସହଯୋଗୀ ସହିତ ବିଭିନ୍ନ ମାରଣାସ୍ତ୍ର ଧରି ଟାଉନ୍ ଥାନା ଅନ୍ତର୍ଗତ ଚରମ୍ପା ମାଲଗୋଦାମ ଅଂଚଳରେ ବଡ ଧରଣର ଡକାୟତି ଉଦ୍ୟମ କରୁଥିବା ବେଳେ ଆଜି ଭୋର୍ ସମୟରେ ସଦଳବଳେ ସେଠାରେ ଚଢ଼ଉ କରିଥିଲା ଭଦ୍ରକ ଟାଉନ୍ ଥାନା ପୋଲିସ । ପୋଲିସକୁ ଦେଖି ପ୍ରଥମେ ବୁଦ୍ଧିଆ ୪ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳିମାଡରେ ତା'ର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ବୁଦ୍ଧିଆକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ଏନକାଉଂଟର ପରେ ବୁଦ୍ଧିଆର ସହଯୋଗୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଭଦ୍ରକ ଓ ବାଲେଶ୍ୱରରେ ବୁଦ୍ଧିଆ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି । ବାଲେଶ୍ୱର, ସୋର ଓ ଭଦ୍ରକ ଥାନାରେ ତା’ ନାମରେ ୧୪ରୁ ଅଧିକ ଡ଼କାୟତି, ଛିନ୍ତାଇ ଆଦି ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ