
ନୂଆପଡ଼ା, ୧୬ ଡିସେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ଗ୍ରାମ ପଂଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସିଡିଏମଓ ଡଃ ଧନେଶ୍ୱର ସେଠୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ବିଡ଼ିଓ ମିଲନ କୁମାର ଝାଙ୍କର, ସ୍ଥାନୀୟ ସରପଂଚ ସୁବାସ ନାଗ, ଜିପିଇଓ ଦେବୀ ଚରଣ ମେହେର ପ୍ରମୁଖ ଯୋଗ ଦେଇଥିଲେ। ଏହି ପଂଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା ହସିନା ଛତ୍ରିଆକୁ କୋଳରେ ଧରି ଆଶିର୍ବାଦ ପ୍ରଦାନ କରିଥିଲେ। କନ୍ୟାର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ରୋପଣ ପାଇଁ ପ୍ରଦାନ କରିଥିଲେ। ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ। ଏହାପରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ଦୂର କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ ସମସ୍ତଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କ୍ଷ ସଭାରେ ଅତିଥି ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରବାସୀ ଶ୍ରମିକ ପ୍ରଥାର ଅପକାରୀତା ଓ ଏହାକୁ କିଭଳି ଭାବେ ନିରାକରଣ କରାଯାଇ ପାରିବ ସେ ବିଷୟରେ ସୂଚନା ଦେଇଥିଲେ। ଏହାସହିତ ନୂଆପଡ଼ା ଜିଲ୍ଲାରେ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷିତ ହୋଇଥିବାରୁ ଏସବୁର ବ୍ୟବହାର ନକରିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଏହାସହିତ ବିବାହ ତଥା ପର୍ବ ପର୍ବାଣୀରେ ପ୍ଲାଷ୍ଟିକ ଖଲି ଦନା ଗ୍ଲାସ୍ ଇତ୍ୟାଦିର ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏକ ବର୍ତନ ବ୍ୟାଙ୍କର ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ତରଫରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଉପରେ ପ୍ରବାସୀ ଶ୍ରମିକଙ୍କୁ ସଚେତନ କରି ଅନ୍ୟ ରାଜ୍ୟକୁ ଦାଦନ ନଯିବା ପାଇଁ ନିବେଦନ କରିଥିଲେ। ଜିଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ, ଉତମ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ମନରେଗା ଯୋଜନାରେ ଅଧିକ ଦିନ କାମ କରିଥିବା ଶ୍ରମିକମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଶିବିରକୁ ଖଡିଆଳ ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ, ସ୍ଥାନୀୟ ସରପଂଚ, ପଂଚାୟତିରାଜ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ