
ସମ୍ବଲପୁର, ୧୬, ଡିସେମ୍ବର (ହି.ସ.) - ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ସମ୍ବଲପୁର ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବ। 'ଆମର ସଂସ୍କୃତି, ଆମର ଟେକ'କୁ ଗୁରୁତ୍ୱ ଦେଇ ଲୋକ ସାହିତ୍ୟ, ଲୋକକଳା, ପାରମ୍ପରିକ ବେଶଭୁଷା, ବାଦ୍ୟ ଓ ସଙ୍ଗୀତ ଆଧାରିତ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖା ଓ ପ୍ରବନ୍ଧ ପ୍ରକାଶ ପାଇବ। ଏଥିପାଇଁ ପ୍ରତିଷ୍ଠିତ ଓ ନବୀନ ସାହିତ୍ୟିକ, ପ୍ରାବନ୍ଧିକ ଓ ଗବେଷକଙ୍କ ଠାରୁ ଜିଲ୍ଲା ସାଂସ୍କୃତିକ ପରିଷଦ ଲେଖା ଆହ୍ୱାନ କରୁଛି। ଲେଖା ଗୁଡିକ ୯୪୩୭୪୦୫୪୫୫ ହ୍ୱାଟ୍ସ ଆପ୍ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲାପାଳ କାର୍ଯ୍ୟାଳୟ, ସମ୍ବଲପୁର ଡାକ ଠିକଣାରେ ଚଳିତ ମାସ ୨୮ ତାରିଖ ସୁଦ୍ଧା ଲେଖା ଓ ପ୍ରବନ୍ଧ ପଠାଇବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ଅମୃତଲାଲ ବେହେରା ଅନୁରୋଧ କରିଛନ୍ତି। ଲେଖା ଗୁଡିକ ନିଶ୍ଚିତ ଭାବରେ ନିର୍ଭୁଲ ଓ ସାରଗର୍ଭକ ହୋଇଥିବା ଆବଶ୍ୟକ ବୋଲି ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ