
କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- ଧନୁ ସଂକ୍ରାନ୍ତିରେ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଲାଗି ହେଲା ଧନୁ ମୁଆଁ। ଶାସ୍ତ୍ର ପ୍ରଚଳିତ ଅନୁଯାୟୀ ମା ଲକ୍ଷ୍ମୀ ସାଆନ୍ତାଣୀ ଧନୁ ସଂକ୍ରାନ୍ତି ପୂର୍ବ ରାତି ମାସନ୍ତରେ ନିଜ ପିତ୍ରାଳୟକୁ ଯାତ୍ରା କରିଥାନ୍ତି। ଏହି ଯାତ୍ରା ସମୟରେ ଏକ ମାସ ଧରି ମକର ସଂକ୍ରାନ୍ତି ପୂର୍ବ ମାସନ୍ତ ପର୍ଯ୍ୟନ୍ତ ମନ୍ଦିରର ସମସ୍ତ ଦାୟିତ୍ଵ ମାତା ଜସମତିଙ୍କ ପାଖରେ ଥାଏ। ମା ଯସମତି ବ୍ରାହ୍ମ ମୁହୂର୍ତ୍ତରୁ ଉଠି ପୁତ୍ର ବଳରାମ କୃଷ୍ଣଙ୍କ ଲାଗି ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତ କରି ପୁତ୍ରଙ୍କ ପାଖରେ ପରଷି ଦେଇଥାନ୍ତି। ଏହି ଭୋଗକୁ ପହିଲି ଭୋଗ କୁହାଯାଇଥାଏ। ଆଜି ତୁଳସୀ କ୍ଷେତ୍ରରେ ଏହି ପହିଲି ଭୋଗ ଆରମ୍ଭ ହୋଇଯାଇଛି।
ଆଜି ଭୋର ଚାରିଟାରୁ ଦ୍ବାର ଉନ୍ମୁକ୍ତ କରାଯାଇ ଜୟ ମଙ୍ଗଳା ଆଳତି ହୋଇଥିଲା ପରେ ନୀତି ସ୍ନାନ ବେଶ ବଲ୍ଲଭ ହୋଇଥିଲା। ଏହି ବଲ୍ଲଭ ସମୟରେ ପ୍ରଭୁଙ୍କ ପାଖରେ ପହିଲି ଭୋଗ ଅର୍ପଣ କରାଯାଇଥିଲା। ଏହି ଭୋଗରେ ପୋଡ ପିଠା, ପକୁଡ଼ି, ଡାଳିମ୍ବ ଲଡୁ, କାକରା ଭୋଗ ଲାଗି କରାଯାଇଥିଲା। ଭୋଗ ସମ୍ପନ୍ନ ପରେ ଆଳତି ହୋଇଥିଲା ଏହି ଆଳତି ଭୋଗ ଏକ ମାସ ଧରି ଚାଲିବ। ଆଜି ପବିତ୍ର ଧନୁ ସଂକ୍ରାନ୍ତି ଥିବାରୁ ମହାପ୍ରଭୁଙ୍କ ପାଖରେ ଧନୁ ମୁଆଁ ଭୋଗ ଲାଗି କରାଯାଇଥିଲା। ଭୋଗ ସମ୍ପନ୍ନ ପରେ ପାର୍ଶ୍ଵ ଦେବଦେବୀଙ୍କର ପାଖରେ ଲାଗି ହୋଇଥିଲା। ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା। ଶାନ୍ତି ଶୃଙ୍ଖଳା ଲାଗି ପୋଲିସ୍ ତରଫରୁ ବ୍ୟବସ୍ଥା କରାଯାଇଥିଲା ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି