
ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ)- ସୈନିକ ସ୍କୁଲ ଏବଂ ଓ.ଏମ.ସି. ର ମିଳିତ ଉଦ୍ୟମରେ ଏହାର ୯ତମ ମିନି ମାରାଥନ ଚଳିତ ମାସ ୨୧ ତାରିଖ ସକାଳ ୬.୦୦ ଘଟିକା ବେଳେ ସ୍କୁଲର ଗାନ୍ଧି ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ । ଏହି ଦୌଡ଼ ପ୍ରତିଯୋଗିତାରେ ସ୍କୁଲର ୬୦୦ କ୍ୟାଡେଟ, ୨୦୦ ପୁରାତନ ଛାତ୍ର ଏବଂ ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲରୁ ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛତ୍ରୀଙ୍କୁ ମିଶାଇ ସର୍ବମୋଟ ୧୨୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ।
ସୈନିକସ୍କୁଲ ପରିସର ମଧ୍ୟରେ ଥିବା ମାନ୍ଧୀ ମିନି ଷ୍ଟାଡିୟମରୁ ସିନିଅର ପ୍ରତିଯୋଗୀ ମାନେ ନିଜର ଦୌଡ଼ ଆରମ୍ଭ କରି ସ୍କୁଲର ମୁଖ୍ୟ ଗେଟ, ମଞ୍ଚେଶ୍ୱର ବଜାର ରାସ୍ତା, ରେଳ କଲୋନୀ ରାସ୍ତା, ଓମଫେଡ ଛକ, ନାଲକୋ-କଳିଙ୍ଗହସପିଟାଲ ଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଛକ, ଆପୋଲ ହସପିଟାଲ, ସୈନିକ ସ୍କୁଲ ଛକଦେଇ ୧୦ କି.ମି ପଥ ଅତିକ୍ରମ କରି ଶେଷରେ ଆରମ୍ଭ ହୋଇଥିବା ଗାନ୍ଧୀଷ୍ଟାଡିୟମ ଠାରେ ପହଂଚିବେ ।ଦୌଡର ଜୁନିୟର ବିଭାଗରେ ପ୍ରତିଯୋଗୀ ମାନେ ସୈନିକସ୍କୁଲରୁ ବାହାରି ମଞ୍ଚେଶ୍ୱର ରାସ୍ତା, ଓମଫେଡ ଛକ, ନାଲକୋ-କଳିଙ୍ଗ ହସପିଟାଲ ଛକ, ଗଜପତି ନଗର ରାସ୍ତାଦେଇ ସୈନିକ ସ୍କୁଲ ଗାନ୍ଧୀ ଷ୍ଟାଡିୟମ ଠାରେ ପହଂଚିବେ ।
ଉକ୍ତ ଦୌଡ଼ ପ୍ରତିଯୋଗିତାକୁ କର୍ଣ୍ଣଲ ରୋହିତ ସିଂହ, ସେନା ମେଡାଲ, କମାଣ୍ଡିଙ୍ଗ ଅଫିସର, ୧୨୦ ଟି.ଏ ବାଟାଲିୟନ, ଭୁବନେଶ୍ୱର ମୁଖ୍ୟ ଅତିଥିଭାବେ, ସୈନିକସ୍କୁଲ ଅଧ୍ୟକ୍ଷ କର୍ଣ୍ଣଲ ପଙ୍କଜ କୁମାର, ସୈନିକସ୍କୁଲ ପୁରାତନ ଛାତ୍ର ସଂଘର ସଭାପତି ମଧୁସୂଦନ ପାଢ଼ୀ ଓ ସ୍କୁଲର ବରିଷ୍ଠ ପୁରାତନ ଛାତ୍ର ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିବେ ।
ସେହିପରି ସୈନିକ ସ୍କୁଲ ଭୁବନେଶ୍ୱର ର ୫୪ ତମ ବାର୍ଷିକ ବନ୍ଧୁ ମିଳନ ଡିସେମ୍ବର ୨୮ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବା । ଏଥିରେ ଭାରତୀୟ ପ୍ରତିରକ୍ଷା ବାହିନୀ, ଭାରତୀୟ ପ୍ରଶାସନିକ ସେବା, ଡାକ୍ତର, ବହୁ ରାଷ୍ଟ୍ରୀୟ କମ୍ପାନୀ ତଥା ଭାରତ ଏବଂ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପୁରାତନ ଛାତ୍ର ସପରିବାରେ ବହୁ ସଂଖ୍ୟାରେ ଯୋଗଦାନ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା