
କେନ୍ଦୁଝର, ୨୦ ଡିସେମ୍ବର (ହି.ସ.) - ବଡ଼ବିଲ୍ ବଡ଼ବିଲ୍ ଟାଉନ ହଲ ସଭାଗୃହରେ ୨୦୨୫ ବଡ଼ବିଲ ମହୋତ୍ସବ ପାଳନ ନିମନ୍ତେ ଗତକାଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବଡ଼ବିଲ ମହୋତ୍ସବ ପାଳନ କମିଟିର ସ୍ଥାୟୀ ସଭାପତି ଚମ୍ପୁଆ ଉପ-ଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଗୁପ୍ତ ପ୍ରସାଦ, କାର୍ଯ୍ୟକାରୀ ସମ୍ପାଦକ ନୀଳମଣି ମହାନ୍ତି, ଉପଦେଷ୍ଟା ବିଜୟ ମହାନ୍ତି, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧୂକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ, ବନାଂଚଳ ଅଧୂକାରୀ ସଞ୍ଜୀବ କୁମାର ରାଉତ, ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ପୌରନିର୍ବାହୀ ଅଧୂକାରୀ ରମେଶ ଚନ୍ଦ୍ର ନାୟକ, ପୂର୍ବତନ ବଡ଼ବିଲ ପୌରାଧ୍ୟକ୍ଷ ଦିଲ୍ଲୀପ ମିଶ୍ର ପ୍ରମୁଖ ମଂଚାସିନ ଥିଲେ। ପୂର୍ବବର୍ଷ ତୁଳନା ରେ ଚଳିତ ବର୍ଷ ବଡ଼ବିଲ ମହୋତ୍ସବ କିପରି ଅଧୂକ ଆକର୍ଷଣୀୟ ଓ ସୁନ୍ଦର ହୋଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ଓଡ଼ିଆ ସଂସ୍କୃତିକୁ ଆଧାରକରି ମହୋତ୍ସବ ପାଳନ କରାଯିବା ସହିତ ବାହାର ଅଂଚଳର କଳାକାର, ନୃତ୍ୟଶିଳ୍ପୀ, ଲୋକ କଳା, ସଂସ୍କୃତି ଓ ପ୍ରସିଦ୍ଧ ସାମଗ୍ରୀ କୁ ସାମିଲ କରାଯିବା ନିମନ୍ତେ ନିଷ୍ପତି ନିଆ ଯାଇଥିଲା। ଆସନ୍ତା ଜାନୁୟାରୀ ୨୯ ତାରିଖ ଠାରୁ ଫେବୃଆରୀ ୧ ତାରିଖ ଚାରି ଦିନ ପର୍ଯ୍ୟନ୍ତ ବଡ଼ବିଲ ମହୋତ୍ସବ ପାଳନ କରାଯିବା ନିମନ୍ତେ ସହମତି ପ୍ରକାଶ ପାଇଛି। ବଡ଼ବିଲ ଅଂଚଳର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଜନସାଧାର ଧାରଣ ଓ ମହୋତ୍ସବ ପାଳନ କମିଟିର ମିଟିର ସମସ୍ତ ସଦସ୍ୟ ବୈଠକରେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA