
ଖୋର୍ଦ୍ଧା, ୨୦ ଡିସେମ୍ବର (ହି.ସ.) - ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍ ରଞ୍ଜୁଲତା ଲେଙ୍କା ଦୁଇଜଣ ଅଭିଯୁକ୍ତଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ୧୦ହଜାର ଟଙ୍କା ଲେଖାଏ ଜରିମନା ଅନାଦେୟ ଏକ ବର୍ଷ ଜେଲ ଦଣ୍ଡାଦେଶ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଦ୍ୱୟ ହେଲେ ଶଳା ଭିଣୋଇ ଏହି ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ପ୍ରଫୁଲ୍ଲ ରାଉତ(ଶଳା) ଓ କୋଚିଲା ଗ୍ରାମର ମଣି ଅରିସଲ(ଭିଣେଇ)। ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲର ଭାଇ ମନୋଜ ରାଉତ ଏବେ ବି ଫେରାର ରହିଥିବା ଅଭିଯୁକ୍ତ ବାପା ସୁବଲ ରାଉତଙ୍କ ମୃତ୍ୟୁ ଘଟିଥିଲା।
ମାମଲାରୁ ପ୍ରକାଶ ଯେ, ବୃନ୍ଦାବନ ଟାଙ୍ଗି ପୂର୍ତ ବଙ୍ଗଳାରୁ ରାତ୍ରି ଜଗୁଆଳ ଭାବେ କାମ କରି ଅବସରଗ୍ରହଣ କରିଥିଲେ। ତାଙ୍କ ସାନ ଭାଇ ସୁବଳ ରାଉତ ସହ ଜମିଜମା ବିବାଦ ରହିଥିଲା। ଏନେଇ ଉଭୟ ପରିବାର ତିକ୍ତତା ରହିଥିଲା। ତାଙ୍କୁ ସବୁ ଦିନ ପାଇଁ ଜୀବନରୁ ହଟାଇବା ପାଇଁ ସୁବଳଙ୍କ ଦୁଇ ପୁଅ ଅଭିଯୁକ୍ତ ପ୍ରଫୁଲ୍ଲ ଏବଂ ଫେରାର ଅଭିଯୁକ୍ତ ମନୋଜ ଷଡ଼ଯନ୍ତ୍ର କରିଥିବା ବେଳେ ପ୍ରଫୁଲ୍ଲ ଶଳା ଅଭିଯୁକ୍ତ ମଣି ସହଯୋଗ କରିଥିଲେ। ୨୦୧୧ ଏପ୍ରିଲ ମାସ ପଣା ସଂକ୍ରାନ୍ତି ରାତିରେ ବୃନ୍ଦାବନ ଦାଣ୍ଡ ପିଣ୍ଡାରେ ଶୋଇଥିଲେ। ସେଠାରୁ ତାଙ୍କୁ ହତ୍ୟା ପରେ ଘୋଷାଡ଼ି ନେଇ ରେଳଧାରଣା କଡ଼ରେ ଫୋଫାଡି ଦେଇଥିଲେ।
୧୪ତାରିଖରେ ମୃତକଙ୍କ ବୋହୂ ପ୍ରତିମା ରାଉତ ତାଙ୍କ ଶଶୁରଙ୍କୁ କେହି ଦୁର୍ବୃତ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରେଳ ଧାରଣାରେ ଫୋଫାଡ଼ି ଚାଲିଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତି କରି ବିଭିନ୍ନ ଦଫାରେ କେସ୍ ନଂ ୬୪/୧୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୋଲିସ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିଲା।
ଆଜି ଏହି ମାମଲାର ଶୁଣାଣି କରି ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍ ୨୭ଜଣ ସାକ୍ଷ ପ୍ରମାଣକୁ ଭିତିକରି ଅଭିଯୁକ୍ତ ଦ୍ୱୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ଓ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ