
ଜୟପୁର, ୨୦ ଡିସେମ୍ବର (ହି.ସ.)-୨୦୨୦ ମସିହାରେ ସୁନାବେଡା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ମାମଲାର ବିଚାର କରି ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଜ୍ଞା ନଳିନୀ ମିଶ୍ର ରାଜପଲାମ ଗ୍ରାମର ଲକ୍ଷ୍ମଣ ଦାଡ଼ିଆ (୨୫) କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୬୩ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର/- ଟଙ୍କା ଜୋରିମାନା, POCSO ଆଇନର ଧାରା 4(2) ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର/- ଟଙ୍କା ଜୋରିମାନା ଏବଂ ୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି | ଜୋରିମାନା ଟଙ୍କା ଅଣଦେୟ ଦୋଷୀକୁ ୧୪ ମାସ ଅଧିକା ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଦର୍ଶାଇଛନ୍ତି ଅଦାଲତ | ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡ଼ିତାଙ୍କୁ 6,00,000/- ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଛନ୍ତି ଅଦାଲତ | ଗତ ୧୬.୮.୨୦ ଦିନ ନାବାଳିକା ପୀଡିତା ତାଙ୍କ ବଡ଼ବାପାଙ୍କ ଘରକୁ ଯାଉଥିବା ସମୟରେ ସୁନାବେଡା ଡିଅର ପାର୍କ ପାଖରେ ଲକ୍ଷ୍ମଣ ନାବାଳକ ସହଯୋଗୀ ସହ ମୋଟର ସାଇକେଲରେ ବଡ଼ବାପାଙ୍କ ଗ୍ରାମରେ ଛାଡିଦେବୁ କହି ନାବାଳିକାଙ୍କୁ ବଡ଼ବାପାଙ୍କ ଗ୍ରାମକୁ ନେବା ପରିଵର୍ତ୍ତେ ଜଙ୍ଗଲକୁ ନେଇ ଲକ୍ଷ୍ମଣ ଦାଡ଼ିଆ ବଳାତ୍କାର କରିଥିଲା ଏବଂ ସହଯୋଗୀ (ନାବାଳକ) ଜଗିଥିଲା | ପୀଡିତା ନାବାଳିକା କଷ୍ଟରେ ଲକ୍ଷ୍ମଣ କବଳରୁ ଆସି ବୁଦା ମୂଳରେ ଲୁଚିଗଲା ଏବଂ ଦୌଡ଼ି ଯାଇ ପାଖରେ ଥିବା ମହିଳାଙ୍କ ଘରେ ଆଶ୍ରୟ ନେଇଥିଲେ | ଫୋନ ମାଧ୍ୟମରେ ନାବାଳିକା ମହିଳାଙ୍କ ଘରେ ଆଶ୍ରୟ ନେବା ଖବର ବାପାଙ୍କୁ ଜଣାଇବା ପରେ ପୋଲିସ ଏବଂ ନାବାଳିକାଙ୍କ ବାପା ଉଦ୍ଧାର କରିଥିଲେ | ନାବାଳିକା ଘଟଣା ବିଷୟରେ ବାପା ମାଆ ଏବଂ ପୋଲିସ ସାମ୍ନାରେ ବର୍ଣ୍ଣନା କରିଥିଲେ | ଝିଅ ବହୁତ ସମୟ ଧରି ଘରକୁ ନ ଫେରିବାରୁ ପୀଡିତା ନାବାଳିକାଙ୍କ ବାପା ସୁନାବେଡା ଥାନାରେ ଝିଅ ହଜିଯାଇଥିବା ରିପୋର୍ଟ ଦାଖଲ କରିଥଲେ | ସୁନାବେଡା ପୋଲିସ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତ ଲକ୍ଷ୍ମଣକୁ ଗିରଫ କରି କୋର୍ଟ ଚାଲଣ କରି ତାଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲେ |ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଡ଼କ୍ଟର ଗାୟତ୍ରୀ ଦେବୀ ମାମଲାର ପରିଚାଳନା କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ପିକେପି